ଖେଳାଳି ଯଦି ଅମ୍ପାୟାରଙ୍କ ସମାଲୋଚନା କରନ୍ତି ତେବେ ଜାଣି ନିଅନ୍ତୁ ଖେଳ ସମାପ୍ତ ହୋଇ ସାରିଛି: ପ୍ରଧାନମନ୍ତ୍ରୀ ମୋଦୀ
3/04/2021 at 6:21 PM

କୋଲକାତା ୦୩।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଏକ ରାଲିକୁ ସମ୍ବୋଧିତ କରି ମମତା ବାନାର୍ଜୀଙ୍କ ନିର୍ବାଚନ ଆୟୋଗ ଉପରେ ଲଗାଇଥିବା ଅଭିଯୋଗକୁ ନେଇ କଟାକ୍ଷ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କ୍ରିକେଟ୍ ମଇଦାନରେ ଯଦି କୌଣସି ଖେଳାଳି ବାରମ୍ବାର ବାରମ୍ବାର ଅମ୍ପାୟାରଙ୍କ ଉପରେ ପ୍ରଶ୍ନ ଉଠାନ୍ତି ତେବେ ବୁଝି ନେବେ ଯେ, ସେମାନଙ୍କ ଖେଳରେ କିଛି ଦୁର୍ବଳତା ରହିଛି। ନିର୍ବାଚନ ମଇଦାନରେ କେତେବେଳେ ଇଭିଏମକୁ ତ କେତେବେଳେ ନିର୍ବାଚନ ଆୟୋଗଙ୍କୁ ଦୋଷ ଦେଉଥିଲେ ଜାଣି ନେବେ ଯେ, ସେମାନଙ୍କ ଖେଳ ଶେଷ ହୋଇ ସାରିଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦିଦି ଲୋକଙ୍କ ଆତ୍ମ ସମ୍ମାନକୁ ଏହା କହି ଆଘାତ ଦେଉଛନ୍ତି ଯେ, ଲୋକେ ଟଙ୍କା ନେଇ ବିଜେପି ରାଲିକୁ ଯାଉଛନ୍ତି। ସେ କହିଛନ୍ତି, ତୃଣମୂଳ କଂଗ୍ରେସ ରାଜନୈତିକ ଉଦ୍ଦେଶ୍ୟ ପାଇଁ ଦୋହନ ପରେ ସିଙ୍ଗୁରକୁ ଉପେକ୍ଷା କରିଛି। ଇଲାକାରେ କୌଣସି ଉଦ୍ୟୋଗ ପ୍ରତିଷ୍ଠା ହୋଇ ନାହିଁ। ଓଲଟା କୃଷକ ବହୁତ ସମସ୍ୟାରେ ରହିଥିବା ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମବଙ୍ଗକୁ କଣ ଦରକାର, କଣ କରିବା ଉଚିତ୍, ଏହାକୁ ନେଇ ପଶ୍ଚିମବଙ୍ଗବାସୀଙ୍କ ମଧ୍ୟରେ କୌଣସି ଭ୍ରମ ରହିବା ଉଚିତ୍ ନୁହେଁ। ଏହି କାରଣରୁ ରାଜ୍ୟବାସୀ ନିର୍ବାଚନରେ ସର୍ବଦା ସ୍ପଷ୍ଟ ବହୁମତକୁ ପ୍ରାଥମିକତା ଦେଇ ଆସିଛନ୍ତି। ଏଠାକାର ବୌଦ୍ଧିକ ବର୍ଗ, ଏଠାକାର ଅଧ୍ୟୟନଶୀଳ ପ୍ରତିଭା ସର୍ବଦା ସ୍ପଷ୍ଟବାଦୀ ହୋଇ ଆଗକୁ ବଢିଥାନ୍ତି।
ମେ ୨ରେ କଣ ହେବାକୁ ଯାଉଛି ତାର ଝଲକ ଆମେ ନନ୍ଦିଗ୍ରାମରେ ଦୁଇ ଦିନ ପୂର୍ବେ ଦେଖି ସାରିଛନ୍ତି। ମୋତେ ପୂରା ବିଶ୍ଵାସ ଯେ, ପ୍ରତିଟି ପର୍ଯ୍ୟାୟ ମତଦାନ ସହ ଦିଦିଙ୍କ ବାଚଳାମି ବଢି ଚାଲିବ ଏବଂ ମୋ ଉପରେ ଗାଳିର ବର୍ଷା ମଧ୍ୟ ବଢି ଚାଲିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଲିକୁ ସମ୍ବୋଧିତ କରିବା ବେଳେ ଏହା କହିଛନ୍ତି।