'ନୂଆ ଆଇନ କୃଷି କ୍ଷେତ୍ରରେ ବଡ ସୁଧାର ଆଣିବ, କୃଷକଙ୍କୁ ମିଳିବ ଲାଭ'- ପ୍ରଧାନମନ୍ତ୍ରୀ ମୋଦୀ

Published By : Prameya-News7 Bureau | December 12, 2020 IST

ନୂଆଦିଲ୍ଲୀ, ୧୨|୧୨:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାଣିଜ୍ୟ ଏବଂ ଉଦ୍ୟୋଗ ମହାସଙ୍ଘର ୯୩ ତମ ବାର୍ଷିକ ସାଧାରଣ ବୈଠକକୁ ଉଦଘାଟନ କରିଛନ୍ତି । ଏହାସହ ଭର୍ଚୁଆଲ ମାଧ୍ୟମରେ ସେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ ମଧ୍ୟ କରିଛନ୍ତି । ଏହାସହ ନୂଆ ଆଇନ କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ସହ ଏଥିରେ କୃଷକ, କ୍ଷୁଦ୍ର ଚାଷୀଙ୍କୁ ଲାଭ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସରକାର କୃଷି କ୍ଷେତ୍ର ସହ ଜଡିତ ଅନ୍ୟ କ୍ଷେତ୍ରରେ ଥିବା ଅସୁବିଧାକୁ ସୁଧାରିବାକୁ ଚେଷ୍ଟା କରୁଛନ୍ତି । ସବୁ ସମସ୍ୟା ଦୂର ପରେ କୃଷକଙ୍କୁ ନୂଆ ବଜାର ମିଳିବ । ନୂଆ ବିକଳ୍ପ ମଧ୍ୟ ମିଳିବ । ପ୍ରଯୁକ୍ତିବିଦ୍ୟାଲ ଲାଭ ମଧ୍ୟ କୃଷକମାନେ ଉଠାଇପାରିବେ ।ଦେଶରେ ଶୀତଳଭଣ୍ଡାର ଅତ୍ୟାଧୂନିକ ହେବ ଓ ଏହାର ଫାଇଦା କୃଷକଙ୍କୁ ମିଳିବ । ଦେଶ କରୋନା ମହାମାରୀ ଭଳି କଠିନ ପରିସ୍ଥିତିର ମୁକାବିଲା କରିଛି । ଏହାର ଶ୍ରେୟ, ଉଦ୍ୟୋଗୀ, କୃଷକ, ଯୁବକଙ୍କ ସହ ସମସ୍ତ ଦେଶବାସୀଙ୍କ ପାଖକୁ ଯାଉଛି । ଯେତେ ଗୁରୁତର ଭାବେ ସ୍ଥିତି ପ୍ରଭାବିତ ହୋଇଥିଲା ସେତେ ମାତ୍ରାରେ ଦେଶ ଅଗ୍ରଗତି କରିଛି ।

ସେ ଆହୁରି କହିଛନ୍ତି ଯେ, କରୋନା ମହାମାରୀ ପରେ ସବୁ କ୍ଷେତ୍ରରେ ଅବସ୍ଥା ଧିରେଧିରେ ସୁଧୁରୁଛି । ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା କମ୍ ରହିଛି । ଭାରତରେ କରୋନା ସମୟରେ ବିଦେଶୀ ନିବେଶକମାନେ ରେକର୍ଡ ସ୍ତରରେ ନିବେଶ କରିଛନ୍ତି । ଯେପରି ଭାବେ ଭାରତୀୟମାନେ ଏକତା ପ୍ରଦର୍ଶନ କରି କରୋନା ମୁକାବିଲା କଲେ ତାହା ବିଶ୍ୱକୁ ଚକିତ କରିଛି ।

ମୋଦୀ ଆହୁରି କହିଛନ୍ତି ଯେ, ଗତ ୬ ବର୍ଷରେ ଦେଶବାସୀ ଏପରି ସରକାର ଦେଖିଛନ୍ତି ଯିଏ କି ଜନତାଙ୍କ ପାଇଁ ଉତ୍ସର୍ଗୀକୃତ । କର୍ପୋରେଟ କ୍ଷେତ୍ରରେ ଭାରତ ସବୁଠାରୁ ଅଧିକ ଚାହିଦା ବୋଲି ମୋଦୀ ଦାବି କରିଛନ୍ତି । ଏହାସହ ଦେଶ ଆତଙ୍କବାଦ ଯୁଗକୁ ପଛରେ ପକାଇଦେଇଛି ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.