କଳାହାଣ୍ଡିରେ ଆଦିବାସୀ କାର୍ଡ଼ ଖେଳିଲେ ମୋଦି, ମନେ ପକାଇଦେଲେ ରାଜୀବ ଗାନ୍ଧୀଙ୍କ ବକ୍ତବ୍ୟ

Published By : Prameya-News7 Bureau | April 02, 2019 IST

ଭବାନୀପାଟଣା ୨|୪(ମହମ୍ମଦ ଅସଲମ): କଳାହାଣ୍ଡିରେ ଆଦିବାସୀ କାର୍ଡ଼ ଖେଳିଲେ ମୋଦି । ଆଜି ଜିଲ୍ଲାର ଭବାନୀପାଟଣାରେ ଆୟୋଜିତ ଦଳର ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଦଳ ପାଇଁ ଭୋଟ୍‌ ଅପିଲ କରିବା ସହ କେନ୍ଦ୍ର ସରକାରଙ୍କ ସଫଳତା ସମ୍ପର୍କରେ ବଖାଣିଛନ୍ତି । ଏଥି ସହ ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ୍‌ କରି କହିଛନ୍ତି, ଏ ଦୁଇ ଦଳ ଗରିବଙ୍କୁ ଗରିବ ରଖିବା ପାଇଁ ଚାହୁଁଛନ୍ତି । ଗରିବଙ୍କୁ ଭୋଟ୍‌ ବ୍ୟାଙ୍କ୍‌ କରି ପ୍ରତିଥର ଧୋକା ଦେଇଆସୁଛନ୍ତି ।

{"id":99353}

କଳାହାଣ୍ଡିରେ ମୋଦିଙ୍କ ଆଦିବାସୀ କାର୍ଡ଼ । କଂଗ୍ରେସ ସରକାର ଅମଳରେ ଆଦିବାସୀ ମନ୍ତ୍ରାଳୟ ହୋଇନଥିଲା । କିନ୍ତୁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏହାକୁ ଗଠନ କରିଥିଲେ । ସ୍ବତନ୍ତ୍ର ବଜେଟ୍‌ ଉପସ୍ଥାପନା ହେଲା । ଏଥିସହ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କ ପାଇଁ ମଧ୍ୟ ଏକ ନୂଆ ମନ୍ତ୍ରାଳୟ କରିଛନ୍ତି, ଯାହା ଆଗରୁ ହୋଇପାରି ନଥିଲା । ୫ବର୍ଷ ପୂର୍ବରୁ ୧୦ଟି ଫସଲ ଉପରେ ଏମଏସପି ମିଳୁଥିଲା, ହେଲେ ଏବେ ୫୦ଟି ଫସଲ ଉପରେ ଏମଏସପି ଦେଇଛନ୍ତି କେନ୍ଦ୍ର ସରକାର । ଜନଜାତି ପିଲାଙ୍କ ପାଇଁ ଏକଲବ୍ୟ ସ୍କୁଲ ଖୋଲାଯାଇଛି । ଅଧିକ ପିଲାଙ୍କୁ ବୃତ୍ତି ପାଇବା ପାଇଁ ନୂଆ ନିୟମ କରାଯାଇଛି ।

{"id":99350}

ବିଜେପି ସରକାରରେ ଓଡ଼ିଶାରେ ୮ଲକ୍ଷ ଗରିବ ପରିବାରଙ୍କୁ ପକ୍କା ଘର ମିଳିଛି । ଓଡ଼ିଶାରେ ୨୪ଲକ୍ଷ ଘରକୁ ମାଗଣା ବିଜୁଳି ଯୋଗାଇ ଦିଆଯାଇଛି । ୩ହଜାର ଗାଁକୁ ପ୍ରଥମ ଥର ପାଇଁ ବିଜୁଳି ସଂଯୋଗ ହୋଇଛି । ଓଡ଼ିଶାରେ ୪୦ଲକ୍ଷ ଗରିବ ଭଉଣୀ ଉଜ୍ଜ୍ବଳା ଯୋଜନା ଦ୍ବାରା ଉପକୃତ ହୋଇଛନ୍ତି । ପାଖାପାଖି ୧କୋଟି ୪୦ ଲକ୍ଷ ଲୋକଙ୍କ ବ୍ୟାଙ୍କ ଖାତା ଖୋଲାଯାଇଛି । ଓଡ଼ିଶାରେ ୪୦ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । କଳାଧନ ଉପରେ ରୋକ ଲାଗିଛି । ଗରିବଙ୍କୁ ସେମାନଙ୍କ ହକ୍‌ ମିଳିଛି । ହେଲେ ଉଭୟ କଂଗ୍ରେସ ଓ ବିଜେଡି ଗରିବଙ୍କୁ ଗରିବ ରଖିବା ପାଇଁ ଚାହୁଁଛନ୍ତି । ଗରିବଙ୍କୁ ଭୋଟ୍‌ ବ୍ୟାଙ୍କ୍‌ କରି ପ୍ରତିଥର ଧୋକା ଦେଇଆସୁଛନ୍ତି ।

{"id":99351}

କେନ୍ଦ୍ରକୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ତଥାପି କେନ୍ଦ୍ର ସରକାର ଓଡ଼ିଶା ପାଇଁ କାମ କରୁଛନ୍ତି । ୨୦୧୪ରେ ଏଠି ବିଜେପି ସରକାର ହୋଇଥିଲେ ବିକାଶ କାମ ତ୍ବରାନ୍ବିତ ହୋଇଥାନ୍ତା । ଓଡ଼ିଶାରେ ଏଥର ବିଜେପି ସରକାର ହେବ । ଯେଉଁ ବିକାଶ ଧାରା ୧୯ବର୍ଷରେ ହୋଇନି, ତାହା ଆମେ ୫ବର୍ଷରେ କରିଦେଖାଇବୁ । ଓଡ଼ିଶାରେ ପରିବର୍ତ୍ତନ ଆଣନ୍ତୁ ଓ କେନ୍ଦ୍ରରେ ବିଜେପି ସରକାରକୁ ଆହୁରି ମଜବୁତ୍‌ କରିବାକୁ ଭୋଟ୍‌ ଦିଅନ୍ତୁ । ବିକାଶର ଡବଲ୍‌ ଇଞ୍ଜିନ୍‌ ପାଇଁ ଆପଣମାନଙ୍କୁ ଭୋଟ୍‌ ଦେବାକୁ ହେବ କହି ଭୋଟରଙ୍କ ମନ ଜିଣିବାକୁ ଚେଷ୍ଟା କରିଥିଲେ ପ୍ରଧାନମନ୍ତ୍ରୀ ।

{"id":99352}

କଳାହାଣ୍ଡିରେ ପ୍ରଚାର ସମୟରେ କଳାହାଣ୍ଡିରେ ରାଜୀବ ଗାନ୍ଧି କହିଥିବା କଥାକୁ ମନେ ପକାଇଥିଲେ ମୋଦି । ଦିଲ୍ଲୀରୁ ୧ଟଙ୍କା ପଠାଇଲେ, ଗାଁରେ ୧୫ ପଇସା ପହଞ୍ଚୁଛି ବୋଲି କହିଥିଲେ ରାଜୀବ ଗାନ୍ଧି । ଜଣେ ପ୍ରଧାନମନ୍ତ୍ରୀ ଯଦି ତାହା ଜାଣିଥିଲେ, ତାହେଲେ ସେ ତା’ର କ’ଣ ପ୍ରତିକାର କରିଥିଲେ ? ଡାକ୍ତର ହୋଇ ରୋଗ ଜଣାଇଲେ, କିନ୍ତୁ ଔଷଧ ଦେଲେନି । କେବଳ ମୋଦି ହିଁ ରୋଗ ଚିହ୍ନେ ଓ ତା’ ପାଇଁ କଡ଼ା ଔଷଧ ବି ଦିଏ । କେନ୍ଦ୍ର ସରକାର ଏବେ ପଠାଉଥିବା ଟଙ୍କା ସିଧା ଲୋକଙ୍କ ପାଖରେ ପହଞ୍ଚୁଛି । ଏକ ନୂଆ ଓଡ଼ିଶା ଗଠନ ପାଇଁ ସହଯୋଗର ହାତ ବଢ଼ାଇବାକୁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.