ବଢୁଛି କରୋନା ପ୍ରକୋପ : ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି, ହୋଇପାରେ ବଡ ନିଷ୍ପତ୍ତି

Published By : Prameya-News7 Bureau | September 23, 2020 IST

ନୂଆଦିଲ୍ଲୀ ୨୩।୯: ଦେଶରେ କରୋନା ଭାଇରସ୍ ର ପ୍ରକୋପ କ୍ରମାଗତ ଭାବେ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ୯୦ ହଜାରରୁ ଏକ ଲକ୍ଷ ପର୍ଯ୍ୟନ୍ତ ମାମଲା ପ୍ରତିଦିନ ଆସୁଛି । ଏହି ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି କରୋନା ଭାଇରସ୍ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବେ ।

ଏହି ୭ ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ତାମିଲନାଡୁ, ଦିଲ୍ଲୀ ଏବଂ ପଞ୍ଜାବ । ଏହି ରାଜ୍ୟଗୁଡିକରେ ଦେଶର ସର୍ବାଧିକ କରୋନା ସଂକ୍ରମଣ ମାମଲା ରହିଛି । ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଏହି ରାଜ୍ୟଗୁଡିକର ସ୍ବାସ୍ଥ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ରାଜ୍ୟଗୁଡିକ ସହିତ ସାମ୍ପ୍ରତିକ ପରିସ୍ଥିତି, ଅନଲକ୍ ର ଫଳାଫଳ, ପରୀକ୍ଷଣର ଗତି ଏବଂ ଆଗାମୀ ରଣନୀତି ବିଷୟରେ ଆଲୋଚନା କରିବେ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଦେଶରେ ମୋଟ କରୋନା ସଂକ୍ରମଣର ୬୦ ପ୍ରତିଶତ ଏହି ୭ଟି ରାଜ୍ୟରୁ ଆସିଛି । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ସମସ୍ତଙ୍କୁଠାରୁ ଆଗରେ ରହିଛନ୍ତି । ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଦେଶରେ ସୁସ୍ଥ ହାରରେ ବୃଦ୍ଧି ହୋଇଛି ଏବଂ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ସୁସ୍ଥ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.