କରୋନା ବୈଠକ: ପ୍ରଧାନମନ୍ତ୍ରୀଙ୍କୁ ଅଧିକାଂଶ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, ବଢାଯାଉ ଲକ୍‌ଡାଉନ୍‌

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ଦେଶରେ ଏପ୍ରିଲ ୧୪ରେ ଲକ୍‌ଡାଉନ୍‌ ରହିବ କି ଉଠିବ ସେ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ। ମାତ୍ର ଏହି ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ବୈଠକରେ ମୋଦୀ କହିଛନ୍ତି କେନ୍ଦ୍ର ସରକାର ୨୪ ଘଣ୍ଟା ଓ ସାତ ଦିନ ରାଜ୍ୟରେ ସାହାଯ୍ୟ ପାଇଁ ପ୍ରସ୍ତୁତ। ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସମେତ ଅଧିକାଂଶ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢାଇବା ନେଇ ସହମତି ପ୍ରକାଶ କରିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। କେଜ୍ରିଓ୍ଵାଲ ଦେଶବ୍ୟାପୀ ଲକ୍‌ଡାଉନ୍‌ ବଢାଇବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତା ଦାବି କରିଛନ୍ତି।  

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଲକ୍‌ଡାଉନ୍‌ ବଢାଇବାର ସମର୍ଥନ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଇଣ୍ଡଷ୍ଟ୍ରୀ ଓ ଚାଷ ସମ୍ବନ୍ଧିତ ଜିନିଷରେ ରିଲିଫ୍ ମିଳିବା ଉଚିତ୍। ରାପିଡ୍ କିଟ୍‌ର ଉପଲବ୍ଧତା ଦ୍ରୁତ ଗତିରେ ହେବା ଉଚିତ୍।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ଭାଇରସ୍‌ ସଂପ୍ରତି ସ୍ଥିତି ନେଇ ବୈଠକରେ ଆଲୋଚନା କରିଛନ୍ତି। ଏଥିସହ କରୋନା ଭାଇରସ୍‌ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଆପଣ ସମସ୍ତଙ୍କ ପାଇଁ କେନ୍ଦ୍ର ସରକାର ୨୪ ଘଣ୍ଟା ଓ ସାତ ଦିନ ଉପଲବ୍ଧ ଅଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ଓ  ରାଜ୍ୟ ସରକାର କାନ୍ଧରେ କାନ୍ଧ ମିଶାଇ ଚାଲିବେ। ତେବେ ଯାଇ ଆମେ ଦେଶ ଓ ଦେଶବାସୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରି ପାରିବା। ଏହି ବୈଠକରେ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସ୍‌ ନେଇ ତଥ୍ୟ ଉପସ୍ଥାପନ କରିଛନ୍ତି।

ବଢିପାରେ ଲକ୍‌ଡାଉନ୍‌ !

ଯେଉଁ ଭଳି ଭାବେ ଗତ କିଛି ଦିନରେ ଦେଶରେ କରୋନା ଭାଇରସ୍‌ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହାକୁ ଦେଖିଲେ ଲକ୍‌ଡାଉନ୍‌ ବଢିବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ୧୦୦୦ରୁ ଅଧିକ କେସ୍ ସାମ୍ନାକୁ ଆସିଥିବା ବେଳେ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୦ ଟପିଛି। ଅନେକ ରାଜ୍ୟ ଲକ୍‌ଡାଉନ୍‌ ବଢାଇବା ନେଇ ପ୍ରସ୍ତୁତି କରି ସାରିଛନ୍ତି। ପଞ୍ଜାବ ଓ ଓଡିଶା ସରକାର ଲକ୍‌ଡାଉନ୍‌କୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢାଇ ସାରିଛନ୍ତି। କେରଳ ଓ ମହାରାଷ୍ଟ୍ର ମଧ୍ୟ କିଛି ଅଞ୍ଚଳରେ  ଲକ୍‌ଡାଉନ୍‌ ବଢାଇ ପାରନ୍ତି।

ଏକ ସଙ୍ଗେ ଲକ୍‌ଡାଉନ୍‌ ହଟାଇବା ସମ୍ଭବ ନୁହଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହୋଇଥିବା ସର୍ବଦଳୀୟ  ବୈଠକରେ ଲକ୍‌ଡାଉନ୍‌ ବଢାଇବା ନେଇ ସଙ୍କେତ ଦେଇ ସାରିଛନ୍ତି। କେନ୍ଦ୍ର ସରକାର ଜନତାଙ୍କ  ଜୀବନ ରକ୍ଷାକୁ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଅନେକ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି  ଏବଂ ସମସ୍ତେ ଏକମତ  ହୋଇ ଲକ୍‌ଡାଉନ୍‌ର ଅବଧି ବଢାଇବାକୁ ସହମତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ, ପୂରା ଦେଶରେ ଏକ ସଙ୍ଗେ ଲକ୍‌ଡାଉନ୍‌ ହଟାଇବା ସମ୍ଭବ ନୁହଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.