୧୯୭୧ ଯୁଦ୍ଧର ସାହସୀ ଯବାନଙ୍କୁ ସଲାମୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି, ୱାର୍ ମେମୋରିଆଲରେ ପ୍ରଜ୍ବଳିତ କଲେ ବିଜୟ ଜ୍ୟୋତି
16/12/2020 at 11:42 AM

ନୂଆଦିଲ୍ଲୀ ୧୬/୧୨ : ଡିସେମ୍ବର ୧୬ ତାରିଖକୁ ବିଜୟ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା। ଭାରତ ପାକିସ୍ତାନ ମଧ୍ୟରେ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧକୁ ୫୦ ବର୍ଷ ପୁରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ବୁଧବାର ଦିନ ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର ମେମୋରିଆଲରେ ସ୍ୱର୍ଣ୍ଣିମ ବିଜୟ ମଶାଲ ପ୍ରଜ୍ବଳିତ କରିଛନ୍ତି।

ପିଏମ ମୋଦି ୧୯୭୧ ଯୁଦ୍ଧର ସାହସୀ ଯବାନଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ରାଷ୍ଟ୍ରୀୟ ସମର ସ୍ମାରକରେ ସ୍ୱର୍ଣ୍ଣିମ ବିଜୟ ବର୍ଷର ଲୋଗୋ ଅନାବରଣ କରିଛନ୍ତି। ଏହାସହ ବର୍ଷ ସାରା ଚାଲିବାକୁଥିବା ସ୍ୱର୍ଣ୍ଣିମ ବିଜୟ ବର୍ଷ ସମାରୋହ ଆରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ବିଜୟ ଦିବସ ଅବସରରେ ରାଜଧାନୀ ଦିଲ୍ଲୀରୁ ବିଜୟ ଜ୍ୟୋତି ଯାତ୍ରା ଆରମ୍ଭ କରାଇଛନ୍ତି। ବିଜୟ ଜ୍ୟୋତି ଯାତ୍ରାରେ ୪ଟି ବିଜୟ ମଶାଲ ବର୍ଷେ ଅବଧିରେ ଦେଶର କ୍ୟାଣ୍ଟନମେଣ୍ଟ କ୍ଷେତ୍ର ଯାତ୍ରା କରିବ। ଏଥିରେ ୧୯୭୧ ଯୁଦ୍ଧର ପରମବୀର ଚକ୍ର ଓ ମହାବୀର ଚକ୍ର ବିଜେତା ଯବାନଙ୍କ ଗାଁ ମଧ୍ୟ ସାମିଲ ଅଛି। ଆସନ୍ତା ବର୍ଷ ନୂଆଦିଲ୍ଲୀରେ ଏହି ମଶାଲ ଯାତ୍ରା ସମ୍ପୂର୍ଣ୍ଣ ହେବ।

ଭାରତରେ ପ୍ରତି ବର୍ଷ ଡିସେମ୍ବର ୧୬ ତାରିଖରେ ବିଜୟ ଦିବସ ପାଳନ କରାଯାଇଥାଏ। ୧୯୭୧ ମସିହା ଏହି ଦିନରେ ଭାରତ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲା ଏବଂ ଆଉ ଏକ ଦେଶ ଭାବେ ବାଙ୍ଗଲାଦେଶ ଅସ୍ତିତ୍ବକୁ ଆସିଥିଲା। ବିଜେପି ସରକାର ୨୦୧୫ ମସିହାରେ ନ୍ୟାସନାଲ ୱାର ମେମୋରିଆଲକୁ ମଞ୍ଜୁରୀ ଦେଇଥିଲେ। ଏହି ସ୍ମାରକ ଦେଶର ସୈନିକଙ୍କୁ ସମର୍ପିତ। ପ୍ରଥମଥର ୧୯୬୦ ମସିହାରେ ସଶସ୍ତ୍ରବଳ ନ୍ୟାସନାଲ ୱାର ମେମୋରିଆଲ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ। ଇଣ୍ଡିଆଗେଟ ଓ ଅମର ଯବାନ ଜ୍ୟୋତି ନିକଟରେ ନୂଆ ସ୍ମାରକ ତିଆରି କରାଯାଇଛି। ଏହି ସ୍ମାରକ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କ ପ୍ରତି ରାଷ୍ଟ୍ରର କୃତଜ୍ଞତାର ପ୍ରତୀକ।