ମୋଦୀଙ୍କ ପାଇଁ ବଢିବ ଅଡୁଆ : କେଦାରନାଥ ପୁରୋହିତଙ୍କ ଧମକ- 'ମାଟିରେ ପାଦ ରଖିବାକୁ ଦେବୁନି'

Published By : Prameya-News7 Bureau | October 31, 2021 IST

ନୂଆଦିଲ୍ଲୀ,୩୧/୧୦:  କେଦାରନାଥ ଯାତ୍ରା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ । ବିରୋଧ କରିବେ ମନ୍ଦିରର ପୁରୋହିତ । ଏପରିକି ଆନ୍ଦୋଳନ କରିବେ ବୋଲି ମଧ୍ୟ ଧମକ ଦେଇଛନ୍ତି । ଆହୁରି ମଧ୍ୟ କେଦାରନାଥ ମାଟିରେ ପାଦ ପକାଇବାକୁ ଦେବେ ନାହିଁ । ଏହାସହ ସେମାନେ ନବୀକରଣ କାର୍ଯ୍ୟରେ ଅନିୟମିତତା ଚାଲିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ପୁରୋହିତ ବୁଜବଲ୍ଲଭ ବଗ୍ୱାଡି ଏନେଇ ଚେତାବନୀ ଦେଇଛନ୍ତି ।

ସେ କହିଛନ୍ତି ଯେ, ମୋଦୀ କେଦାରପୁରୀର ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ହରୀଶ ରାଓ୍ୱତ ମୁଖ୍ୟମନ୍ତ୍ରୀ ଥିଲା ବେଳେ ଏପରି ହୋଇଥିଲା । ବର୍ତ୍ତମାନର ସରକାର ପୂର୍ବ ସରକାର ତୁଳନାରେ କେଦାରପୁରୀ ପ୍ରୋଜେକ୍ଟ କାର୍ମରେ ଦୁର୍ନୀତି କରୁଛି । କୋଟି କୋଟି ଟଙ୍କା ନଷ୍ଟ ହୋଇଛି । ହେଲିପ୍ୟାଡରେ ଉତ୍ତରକାଶୀ ସ୍ଥିତ ନେହେରୁ ପର୍ବତାରୋହଣ ସଂସ୍ଥାନ ଦ୍ୱାରା କୋଟି କୋଟି ଟଙ୍କାରେ ବିଶ୍ରାମ ଗୃହ ତିଆରି ହୋଇଥିଲା । କିନ୍ତୁ ପରେ ଏହାକୁ ସଂପ୍ରସାରଣ କାର୍ଯ୍ୟ ପାଇଁ ଭାଙ୍ଗି ଦିଆଗଲା । ନଦୀ କୂଳରେ ୨୦ କୋଟିରେ ତିଆରି ଘାଟ ବି ଧ୍ୱଂସ କରିଦିଆଯାଇଛି । ମୁଖ୍ୟ ରାସ୍ତାରେ ଅନେକ ଭଲ ପଥର ରହିଥିଲା .। ତାକୁ ସେଠାରୁ ତାଡି ନେଇ ଅନ୍ୟ ସ୍ଥାନରେ ଲଗାଯାଇଛି ।

ସେହପରି ପୁରୋହିତ କେକେ କୋଟିୟାଲ କହିଛନ୍ତି ଯେ, ସେମାନେ ମୋଦୀଙ୍କୁ ଭେଟିବାକୁ ଚାହିଁଥିଲେ । ଉତ୍ତରଖାଣ୍ଡ ଚାର ଧାମ ଦେବସ୍ଥାନମ ବୋର୍ଡକୁ ଉଚ୍ଛେଦ ପାଇଁ ଦାବି ରଖିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କୁ ଭେଟୁ ନାହାଁନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବୋର୍ଡ ମନଇଚ୍ଛା କାମ କରୁଛି । ଏପରିକି ସେମାନଙ୍କ ଧାର୍ମିକ ଅଧିକାର ଉପରେ ହସ୍ତକ୍ଷେପ କରୁଛି । ରାଜ୍ୟ ସରକାର ମୋଦୀଙ୍କ ଗସ୍ତ ପୂର୍ବରୁ ବୋର୍ଡକୁ ଉଚ୍ଛେଦ କରିବା ଦରକାର ।  ସେମାନେ ମୋଦୀଙ୍କ ଗସ୍ତକୁ ବୟକଟ୍ କରିବେ । କେବଳ ସ୍କୋଗାନ ଦେବେ ନାହିଁ, ମୋଦୀଙ୍କ ଗସ୍ତ ବେଳେ ହେଲିପ୍ୟାଡରେ ଶୋଇବେ ମଧ୍ୟ ।

କେଦାରନାଥ ସଭାର ସଭାପତି ବିନୋଦ ଶୁକ୍ଳା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପୁରୋହିତଙ୍କୁ ଆନ୍ଦୋଳନକୁ ଅକ୍ଟୋବର ୩୦ ଯାଏଁ ସ୍ଥଗିତ ରଖିବାକୁ କହିଥିଲେ । ଏପରିକି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇତିଲେ । କିନ୍ତୁ କୌଣସି ସମାଧାନର ରାସ୍ତା ବାହାରିନଥିଲା । ନଭେମ୍ବର ୧ ପରେ ବି ସେମାନେ ଆନ୍ଦୋଳନ ଜାରି ରଖିବେ ବୋଲି ସେ କହିଛନ୍ତି ।ଆଉ କିଛି ପୁରୋହିତ ଚାରଧାମ ଦେବସ୍ଥାନମ ବୋର୍ଡର ଆଇନକୁ କଳା ଆଇନ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡ ସରକାର ୨୦୧୯ରେ ଚାରଧାମ ଦେବସ୍ଥାନମ ବୋର୍ଡ ଗଠନ କରିଥିଲେ । ଏନେଇ ବିଧାନସଭାରେ ମଧ୍ୟ ବିଲ୍ ପାସ୍ ହୋଇଥିଲା । ଯାହାର ବିଜ୍ଞପ୍ତି ୨୦୨୦ ମସିହା ଜାନୁଆରୀ ୧୫ରେ ଜାରି କରାଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.