ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜୁରାଟ ଗସ୍ତ, କଚ୍ଛରେ କୃଷକଙ୍କ ସହ କରିବେ ଆଲୋଚନା

Published By : Prameya-News7 Bureau | December 15, 2020 IST

ନୂଆଦିଲ୍ଲୀ,୧୫/୧୧: ଦେଶରେ ଏବେବି ନୂଆ କୃଷି ଆଇନ ବିରୋଧରେ ଅନ୍ନଦାତାଙ୍କ ଆନ୍ଦୋଳନ ଜାରି ରହିଛି ।  ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦୀର୍ଘ ୨୦ ଦିନ ଧରି ଆନ୍ଦୋଳନ ଜାରି ରହିଛି। ଏହା ମଧ୍ୟରେ ବିଭିନ୍ନ କୃଷକ ସଂଗଠନର ନେତା ଓ ସରକାରଙ୍କ ମଧ୍ୟରେ ହେଉଥିବା ବୈଠକ ବାରମ୍ବାର ବିଫଳ ହେଉଛି । କୌଣସି ସମାଧାନର ରାସ୍ତା ବାହାରି ନାହିଁ । ତଥାପି କୃଷକ ନେତାଙ୍କୁ ମନାଇବାକୁ ପ୍ରୟାସ ଜାରି ରହିଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କୃଷକ ନେତାଙ୍କ ନିରନ୍ତର ଆଲୋଚନା ମଧ୍ୟ ସରିଛି ।

କେନ୍ଦ୍ର କୃଷିମନ୍ତ୍ରୀ ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକ ସଂଗଠନର ନେତା ମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଏହାସହ ଖୁବଶୀଘ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ କୃଷକ ନେତା ବିଚାର ବିମର୍ଶ କରିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହା ମଧ୍ୟରେ ପ୍ରଧମାମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଗୁଜୁରାଟର କଚ୍ଛ ଅଞ୍ଚଳକୁ ଦିନିକିଆ ଗସ୍ତ କରିବେ।  କୃଷି ଆଇନ୍‌ ବିରୋଧରେ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ  ମୋଦୀଙ୍କ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । ମଙ୍ଗଳବାର କଚ୍ଛ ଅଞ୍ଚଳର କୃଷକ ମାନଙ୍କ ସହିତ ଗୁଜୁରାଟର ଶିଖ୍‌ କୃଷକଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ତେବେ କିଛି ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନା ମଧ୍ୟ ପ୍ରଧାନମନ୍ତ୍ରୀ କରିପାରନ୍ତି। ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବରୁ କଚ୍ଛର କୃଷକଙ୍କ ସହିତ ପ୍ରଥମେ ମୋଦୀ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ସେହିପରି କଚ୍ଛ ଜିଲ୍ଲାର ଲଖପତ ତାଲୁକା ଅଞ୍ଚଳରେ ପାଖାପାଖୀ ୫ ହଜାର ଶିଖ୍‌ ପରିବାର ବସବାସ କରନ୍ତି । ଏହି କୃଷକ ପରିବାର ସହ ମୋଦୀ ଆଲୋଚନା କରିବେ ।  ନୂଆ କୃଷି ଆଇନକୁ ନେଇ ଏବେବି ରାଜଧାନୀ ସୀମାରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.