ଟାଇମ ମାଗାଜିନରେ ନାଁ ଆସିବା ପରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଶାହିନ ବାଗ୍ ଦାଦି, କହିଲେ- ‘ପିଏମ୍ ମୋଦି ମୋ ପୁଅ’

Published By : Prameya-News7 Bureau | September 25, 2020 IST

ନୂଆଦିଲ୍ଲୀ ୨୫/୦୯: ‘ଶାହିନ ବାଗ ଦାଦି’ ନାଁରେ ପରିଚିତ ବିଲକିସ୍ ବାନୋ ଟାଇମ ମାଗାଜିନର ବିଶ୍ବର ୧୦୦ ଜଣ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ସାମିଲ ହୋଇଛନ୍ତି। ଏ ନେଇ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜ ପୁଅ ବୋଲି କହିଛନ୍ତି।

ସିଏଏ ବିରୋଧରେ ବିରୋଧ ପ୍ରଦର୍ଶନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ୮୨ ବର୍ଷୀୟା ବାନୋ। ଟାଇମର ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ମୋଦି ସାମିଲ ଥିବାରୁ ତାଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି।  ମୋଦିଙ୍କୁ ସେ ନିଜ ପୁଅ ବୋଲି କହିଛନ୍ତି। ତାଙ୍କୁ ଜନ୍ମ ଦେଇ ନ ଥିଲେ କ’ଣ ହେଲା ତାଙ୍କର ଜଣେ ଭଉଣୀ ତ ତାଙ୍କୁ  ଜନ୍ମ ଦେଇଛି। ଏହା ସହ ବାନୋ ମୋଦିଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

ବାନୋ କେବଳ କୁରାନ ସରିଫକ ପଢ଼ିଛନ୍ତି। ସେ କେବେ​‌ ବି ସ୍କୁଲ ମାଟି ମାଡି ନାହାନ୍ତି। ୧୧ ବର୍ଷ ତଳୁ ବାନୋଙ୍କ ସ୍ବାମୀଙ୍କ ପରଲୋକ ହୋଇଛି। ସେ ଏବେ ଶାହିନ୍ ବାଗରେ ଝିଅ-ଜ୍ବାଇଁ ଓ ନାତିନାତୁଣୀଙ୍କ ସହ ରହୁଛନ୍ତି। ଭାରତ କୋଭିଡ୍ ୧୯ ସହ ଲଢ଼ୁଛି ବୋଲି ପଚରାଯିବାରୁ ସେ କହିଛନ୍ତି ‘ଆମର ପ୍ରଥମ ଲଢ଼େଇ ହେଉଛି ଏହି ଭାଇରସ ବିରୋଧରେ। ଏହି ରୋଗ ବିଶ୍ବରୁ ନିହାତି ଦୂର ହେବା କଥା।’

ମୋଦିଙ୍କ ସମେତ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ବାନୋ ସାମିଲ ଥିବାରୁ ତାଙ୍କ ପରିବାର ଲୋକ ମଧ୍ୟ ବେଶ୍ ଖୁସି ଅଛନ୍ତି । ସୂଚନାଯୋଗ୍ୟ ଟାଇମ ମାଗାଜିନରେ ବିଲକିସ୍ ବାନୋ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅଭିନେତା ଆୟୁଷ୍ମାନ ଖୁରାନା, ଜୀବବିଜ୍ଞାନୀ ରବୀନ୍ଦ୍ର ଗୁପ୍ତା, ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.