Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଦିନିଆ ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ପୂର୍ବ ଅର୍ଥନୈତିକ ଫୋରମ୍ ଶିଖର ବୈଠକରେ ଦେବେ ଯୋଗ

4/09/2019 at 9:37 AM

ନୂଆଦିଲ୍ଲୀ ୪: ପଞ୍ଚମ ପୂର୍ବ ଅର୍ଥନୈତିକ ଫୋରମ୍ ଶିଖର ବୈଠକରେ ଯୋଗଦେବା ପାଇଁ ଦୁଇ ଦିନିଆ ଗସ୍ତରେ ଯାଇ ଋଷର ଭ୍ଲାଦିଭୋଷ୍ଟକରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏହି ଶିଖର ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ । ଏଥି ସହିତ ଭାରତ-ଋଷ  ମଧ୍ୟରେ ବିଂଶତମ ବାର୍ଷିକ ଶିଖର ବୈଠକରେ ଯୋଗଦେବେ ।

ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ନିବିଡ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ-ଋଷ ମଧ୍ୟରେ ସ୍ବତନ୍ତ୍ର ଏବଂ ବିଶେଷ ରଣନୈତିକ ଭାଗିଦାରୀତା ଆଧାରରେ ଘନିଷ୍ଠ ସମ୍ପର୍କ ରହିଛି । ପ୍ରତିରକ୍ଷା, ପରମାଣୁ ଓ ମହାକାଶ କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ବ୍ୟାପକଭାବେ ସହଯୋଗ କରିଆସିଛନ୍ତି । ଋଷ ରାଷ୍ଟ୍ରପତିଙ୍କ ସହ ଏହି ଅବସରରେ କିଛି ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ସମ୍ଭାବନା ରହିଛି ।

ବିଶେଷ କରି ତୈଳ ଓ ଗ୍ୟାସ କ୍ଷେତ୍ରରେ ବିକାଶ ଲାଗି ଦୁଇ ଦେଶ ମଧ୍ୟରେ ଏକାଧିକ  ଚୁକ୍ତି ହେବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶ ମଧ୍ୟରେ  ସାଂସ୍କୃତିକ ସମ୍ପର୍କ ବୃଦ୍ଧି କରି ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ଉପରେ ଏକ ଡାକଟିକଟ ଉନ୍ମୋଚନ କରିବେ ମୋଦି । ଯୋଗକୁ ଲୋକପ୍ରିୟ କରିବା ପାଇଁ ଏକ ଆପକୁ ମୋଦି ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି ।

ଭ୍ଲାଦିଭୋଷ୍ଟକକୁ ଗସ୍ତ କରିବାରେ ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ । ଗତକାଲି ସନ୍ଧ୍ୟାରେ ଋଷିଆ ଅଭିମୁଖେ ବାହାରିଥିବା ପ୍ରଧାନମନ୍ତ୍ରୀ ଆଜି ଭୋର ୪ଟା ୩୦ରେ ଭ୍ଲାଦିଭୋଷ୍ଟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ ।

ସମ୍ବିଧାନର ଧାରା ୩୭୦ ଅଚଳ ଏବଂ ଜାମ୍ମୁ କାଶ୍ମୀର ବିଭାଜନ ପରେ ଭାରତ-ପାକସ୍ତାନ ମଧ୍ୟରେ ତିକ୍ତତା ଲାଗି ରହିଛି । ଏହି ପରିପ୍ରେକ୍ଷିରେ ଋଷ ମୋଦିଙ୍କ କାଶ୍ମୀର ନୀତିକୁ ସମର୍ଥନ କରିଛି । ଏହି ପ୍ରସଙ୍ଗରେ ମୋଦି ସରକାରଙ୍କ ଆଗାମୀ ପଦକ୍ଷେପ ନେଇ ଋଷ ରାଷ୍ଟ୍ରପତିଙ୍କ ସହ ମୋଦି ଆଲୋଚନା କରିପାରନ୍ତି।

   Related Posts