Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୋଦିଙ୍କୁ ଆଲିଙ୍ଗନ କରି କାନ୍ଦି ପକାଇଲେ ଇସ୍ରୋ ଅଧ୍ୟକ୍ଷ କେ.ଶିବନ, ଭାବୁକ ହେଲେ ମୋଦି

7/09/2019 at 12:13 PM

ନୂଆଦିଲ୍ଲୀ ୭।୯: ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରାବତରଣ ବିଫଳତା ନେଇ ଇସ୍ରୋର ବୈଜ୍ଞାନିକମାନେ କାରଣ ଖୋଜୁଛନ୍ତି । ସାରା ଦେଶ ଯେଉଁ ଆଶା କରିଥିଲା ସେଭଳି ଫଳ ମିଳିନି । ମିଶନରେ ଲାଗିଥିବା ବୈଜ୍ଞାନିକମାନଙ୍କ ଭିତରେ ସାମାନ୍ୟ ନିରାଶା ଛାଇ ଯାଇଛି । ଏହାକୁ ନେଇ ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ଆଖିରେ ଲୁହ ଆସି ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ବୈଜ୍ଞାନିକମାନଙ୍କ ଉତ୍ସାହ ବଢାଇବା ସହ ଭାବୁକ ହୋଇ ଯାଇଛନ୍ତି ।

ଆଜି ସକାଳେ ଇସ୍ରୋ କଣ୍ଟ୍ରୋଲ ରୁମ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବା ପରେ ପରେ କେ. ଶିବନ କାନ୍ଦି ପକାଇଥିଲେ । ଏହି ସମୟରେ ମୋଦି ତାଙ୍କୁ କୁଣ୍ଢେଇ ପକାଇ ସାନ୍ତ୍ବନା ଦେଇଥିଲେ । ବିକ୍ରମର ଚନ୍ଦ୍ରାବତରଣ ବିଫଳ ହୋଇ ଥାଇପାରେ କିନ୍ତୁ ଇସ୍ରୋର ପରୀକ୍ଷା ସଫଳ ହୋଇଛି । କାରଣ ଲ୍ୟାଣ୍ଡର ବିକ୍ରମକୁ ଚନ୍ଦ୍ରପୃଷ୍ଠ ପାଖାପାଖି ପହଞ୍ଚାଇବାରେ ଇସ୍ରୋ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି ।

ଏହାସହ ଏବେବି ଚନ୍ଦ୍ରଯାନର ଅରବିଟର ଚନ୍ଦ୍ରଠାରୁ ମାତ୍ର ଶହେ କିଲୋମିଟର ଦୂରରେ ଘୁରୁଛି । ଯାହା ଚନ୍ଦ୍ର ସଂପର୍କରେ ଅତି ନକଟରୁ ତଥ୍ୟ ଦେବ । ଇସ୍ରୋ ବୈଜ୍ଞାନିକଙ୍କ ମନରେ ଆଶାର କିରଣ ରହିଛି । କହିବାକୁ ଗଲେ ମିଶନ ଚନ୍ଦ୍ରଯାନର ମାତ୍ର ୫ ପ୍ରତିଶତ ବିଫଳ ହୋଇଛି, ଏବେବି ୯୫ପ୍ରତିଶତ ସକ୍ରିୟ ରହିଛି ।

ଚନ୍ଦ୍ରଯାନ-୨ର ୩ଟି ପ୍ରମୁଖ ଅଂଶ ଭିତରୁ ୧୪୭୧ କିଲୋଗ୍ରାମ ବିଶିଷ୍ଟ ଲ୍ୟାଣ୍ଡର ବିକ୍ରମରେ ରହିଛି ୪ଟି ପେ-ଲୋଡ୍ । ସେହିପରି ୨୭କିଲୋଗ୍ରାମ ବିଶିଷ୍ଟ ରୋଭର ପ୍ରଜ୍ଞାରେ ରହିଛି ୨ଟି ପୋ-ଲୋଡ୍ । ଏ ଦୁଇଟିକୁ ଛାଡିଲେ ଏବେବି ଚନ୍ଦ୍ର ଚାରିପଟେ ସଫଳତାର ସହ କାର୍ଯ୍ୟକ୍ଷମ ଥିବା ୨୩୭୯କିଲୋଗ୍ରାମ ବିଶିଷ୍ଟ ଅରବିଟରରେ ରହିଛି ୮ଟି ପେ-ଲୋଡ୍ । ଅରବିଟରରେ ଲାଗିଥିବା ପେ-ଲୋଡ୍ ଚନ୍ଦ୍ର ସଂପର୍କରେ ତଥ୍ୟ ସଂଗ୍ରହ କରିବେ ।

ମୋଦି ମଧ୍ୟ ବୈଜ୍ଞାନିକଙ୍କ ସାହସ ବଢାଇ କହିଛନ୍ତି ଅନ୍ତିମ ଫଳ ଆଶାନୁରୂପ ନହେଲେ ମଧ୍ୟ ଆପଣଙ୍କ ପରିଶ୍ରମ, ସାମର୍ଥ୍ୟ ଏବଂ ସିଦ୍ଧି ନେଇ ସାରା ଦେଶ ଗର୍ବିତ । ମୋଦି କହିଛନ୍ତି ଯେ, ‘ଆପଣଙ୍କୁ ଉପଦେଶ ଦେବାକୁ ନୁହେଁ ବରଂ ଆପଣମାନଙ୍କୁ ଦେଖି ପ୍ରେରଣା ପାଇବାକୁ ଆସିଛି ।’

   Related Posts