ଅକ୍ସିଜେନ ଅଭାବକୁ ନେଇ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: କହିଲେ, ‘ଅକ୍ସିଜେନ ଗାଡିଗୁଡିକୁ ରୋକନ୍ତୁ ନାହିଁ, ରାଜ୍ୟ ସରକାରମାନେ ସ୍ବତନ୍ତ୍ର ଦୃଷ୍ଟି ଦିଅନ୍ତୁ’

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨/୦୪ : ଦେଶରେ ଅକ୍ସିଜେନ୍‌ ସଙ୍କଟ ଏବେ ଉତ୍କଟ ରୂପ ଧାରଣ କରିଛି । ଅନେକ ହସ୍ବିଟାଲରେ ଅକ୍ସିଜେନ ଅଭାବରୁ କରୋନା ଆକ୍ରାନ୍ତମାନେ ମୃତ୍ୟୁବରଣ କରିସାରିଲେଣି । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ, ବରିଷ୍ଠ ଅଧିକାରୀମାନଙ୍କ ସହିତ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ଦେଶରେ ଅକ୍ସିଜେନ ଯୋଗାଣ ଆହୁରି ତୀବ୍ର କରିବାକୁ କହିଛନ୍ତି ମୋଦି ।

ଏହା ସହିତ ଦେଶରେ ଅକ୍ସିଜେନ ଉତ୍ପାଦନ ବୃଦ୍ଧି କରିବା ତଥା ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାଜ୍ୟମାନଙ୍କରେ ତୁରନ୍ତ ଅକ୍ସିଜେନ ପହଞ୍ଚାଇବା ଉପରେ ଜୋର ଦେଇଛନ୍ତି  ପ୍ରଧାନମନ୍ତ୍ରୀ । ଅକ୍ସିଜେନ ଟ୍ୟାଙ୍କରଗୁଡିକ ହସ୍ପିଟାଲରେ ଜଲଦି ପହଞ୍ଚାଇବା ପାଇଁ ଟ୍ରେନ୍‌ଗୁଡିକୁ ବ୍ୟବହାର କରାଯାଉଛି । ପ୍ରଥମ କ୍ଷେପରେ ମୁମ୍ବାଇର ବିଭିନ୍ନ ହସ୍ପିଟାଲକୁ ୧୦୫ ମେଟ୍ରିକ୍‌ ଟନ୍‌ ଲିକ୍ବିଡ୍‌ ମେଡିକାଲ ଅକ୍ସିଜେନ୍‌ ପହଞ୍ଚାଯାଇଛି । ଏହା ଛଡା ସମୟ ସାପେକ୍ଷ ଦୃଷ୍ଟିରୁ ଖାଲି ଟ୍ୟାଙ୍କରଗୁଡିକୁ ଆକାଶ ମାର୍ଗରେ ପଠାଯାଉଛି । ଯାହାଫଳରେ କି ଟ୍ୟାଙ୍କରଗୁଡିକ ଯଥାଶୀଘ୍ର ପହଞ୍ଚି ପୁଣି ଅକ୍ସିଜେନ ପ୍ଲାଣ୍ଟରୁ ଭର୍ତ୍ତି କରିଆଣିପାରିବେ ।

ସଙ୍କଟ ପରିସ୍ଥିତିରେ ରାଜ୍ୟମାନଙ୍କ ମଧ୍ୟରେ କିଭଳି ଭାବେ ସମନ୍ବୟ ରଖାଯାଇପାରିବ ସେ ନେଇ ମଧ୍ୟ ବୈଠକ​‌ରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ ରାଜ୍ୟ ଦେଇ ଯାଉଥିବା ଅକ୍ସିଜେନ ଟ୍ୟାଙ୍କର, ଟ୍ରେନ୍‌ଗୁଡିକୁ ଯେପରି କେହି ନରୋକିବେ ସେ ଦିଗରେ ମଧ୍ୟ ରାଜ୍ୟ ସରକାରମାନେ ଦୃଷ୍ଟି ଦେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି ଯେ, ଯେଉଁ ରାଜ୍ୟମାନଙ୍କରେ ଅକ୍ସିଜେନ ଉତ୍ପାଦନ ହେଉଛି ସେମାନେ ଅନ୍ୟରାଜ୍ୟମାନଙ୍କୁ ପଠାଇବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । କୌଣସି ରାଜ୍ୟମାନଙ୍କରେ ଅକ୍ସିଜେନ ଗାଡିକୁ ରୋକାଯିବ ନାହିଁ । ବିନା ଦ୍ବିଧାରେ ସେମାନେ ଗନ୍ତବ୍ୟସ୍ଥଳକୁ ଯାଇପାରିବେ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଜାରି ବୈଠକରେ କ୍ୟାବିନେଟ୍‌ ସଚିବ, ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, ଗୃହ ସଚିବ, ସ୍ବାସ୍ଥ୍ୟ ସଚିବଙ୍କ ସମେତ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ, ସଡକ ଏବଂ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.