୧୦୦ ତମ କୃଷକ ରେଳକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ
28/12/2020 at 5:29 PM

ନୂଆଦିଲ୍ଲୀ ୨୮/୧୨: ଚଳିତ ବର୍ଷ ୭ ଅଗଷ୍ଟରେ କୃଷକ ରେଳର ଶୁଭାରମ୍ଭ କରିଥିଲା ଭାରତୀୟ ରେଳବାଇ। ତାପରେ କେବଳ ୫ ମାସରେ ଏବେ ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଛି। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇଛନ୍ତି। ୧୦୦ ତମ କୃଷକ ରେଳ ଯାତ୍ରା ଆରମ୍ଭ କରିଥିବା ବେଳେ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି, ଆମ ସରକାର ବିଶ୍ବାସ କରନ୍ତି କୃଷକଙ୍କ ସମୃଦ୍ଧିରେ ଦେଶର ସମୃଦ୍ଧି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି ପିୟୁଷ ଗୋଏଲ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର କୋଟି କୋଟି କୃଷକଙ୍କୁ ଧନ୍ୟବାଦ ଦେଇଥିଲେ। ଏହା ସହ ସେ କହିଛନ୍ତି, ‘ ଆଗଷ୍ଟରେ ଦେଶର ପ୍ରଥମ ତଥା କୃଷକ ଓ କ୍ଷେତକୁ ସମର୍ପିତ ରେଳ ଆରମ୍ଭ ହୋଇଥିଲା। ଆଜି ୧୦୦ ତମ କୃଷକ ରେଳ କିଛି ସମୟ ପୂର୍ବରୁ ମହାରାଷ୍ଟ୍ର ମଙ୍ଗୋଲାରୁ ପଶ୍ଚିମବଙ୍ଗର ଶାଲିମାରକୁ ଯାତ୍ରା ଆରମ୍ଭ କରିଛି। ଏହା ଦ୍ବାରା ପଶ୍ଚିମଙ୍ଗର କୃଷକ ମହାରାଷ୍ଟ୍ରର ପଣେ, ନାଗପୁର ଭଳି ବଡ଼ ବଡ଼ ବଜାର ସହ ସମ୍ପର୍କରେ ରହିପାରିବେ।’
ଭଣ୍ଡାରଣ ଓ କୋଲ୍ଡ ଷ୍ଟୋରେଜ୍ ଅଭାବରୁ ଦେଶର କୃଷକ ସବୁ ବେଳେ ଅସୁବିଧାରେ ପଡ଼ୁଛନ୍ତି। ଆମ ସରକାର ଭଣ୍ଡାରଣର ଆଧୁନିକ ବ୍ୟବସ୍ଥା, ସପ୍ଲାଇ ଚେନ୍ର ଆଧୁନୀକିକରଣ, କୋଟି କୋଟି ଟଙ୍କା ନିବେଶ ସହିତ କୃଷକ ରେଳ ଆରମ୍ଭ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
କୃଷକ ରେଳରେ ରେଫ୍ରିଜେରେଟେଡ୍ କୋଚ ଲାଗିଛି। ଏହି ଟ୍ରେନ୍ ୧୭ ଟନ୍ କ୍ଷମତା ବିଶିଷ୍ଟ ନୂଆ ଡିଜାଇନ୍ରେ ନିର୍ମାଣ କରାଯାଇଛି। ଏହାକୁ ରେଳ କୋଚ୍ ଫ୍ୟାକ୍ଟ୍ରି କପୁରଥାଲାରେ ତିଆରି କରାଯାଇଛି। ଏହାର କଣ୍ଟେନର ଫ୍ରିଜ୍ ଭଳି ହୋଇଥିବା ବେଳେ ଏହାକୁ ଏକ ଚଳନ୍ତା କୋଲ୍ଡ ଷ୍ଟୋରେଜ୍ ବୋଲି ମଧ୍ୟ କହିହେବ। ଏଥିରେ କୃଷକ ଫଳ, ପନିପରିବା, କ୍ଷିର ଆଦି ରଖିପାରିବେ।