ପୋଷ୍ଟାଲ ଆକାଉଣ୍ଟରେ ମୋଦି ଜମା କରୁଛନ୍ତି ୧୫ଲକ୍ଷ ଟଙ୍କା !
3/08/2019 at 10:37 AM

ଥିରୁବନ୍ତପୁରମ୍ ୩|୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ୧୫ଲକ୍ଷ ଟଙ୍କା ଦିଆଯାଉଥିବା ଖବର ବ୍ୟାପିବାରେ ଲାଗିଛି । ସୋସିଆଲ ମିଡିଆରେ ଖବର ବ୍ୟାପିବା ପରେ କେରଳରେ ଲୋକମାନେ ବ୍ୟାଙ୍କ୍ ଗୁଡିକରେ ଆକାଉଣ୍ଟ ଖୋଲିବାକୁ ଲମ୍ବା ଲାଇନ୍ ଲଗାଇଛନ୍ତି ।
ଖବରକୁ ସତ ଭାବି ପୋଷ୍ଟାଲ ବ୍ୟାଙ୍କ୍ ଖାତା ଖୋଲିବାକୁ ବ୍ୟାଙ୍କ୍ ରେ ଲୋକଙ୍କ ଭିଡ ଲାଗୁଛି । ବ୍ୟାଙ୍କ୍ କୁ ଖାତା ଖୋଲିବାକୁ ଆସିଥିବା ଲୋକଙ୍କ କହିବା ଅନୁସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ଲକ୍ଷ ଟଙ୍କା ଦେବା ଲାଗି କରିଥିବା ପ୍ରତିଶ୍ରୁତି ପୂରଣ କରିବା ଲାଗି ଯୋଜନା କରୁଛନ୍ତି ।
ଗଣମାଧ୍ୟମ ଖବର ଅନୁସାରେ କେରଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ମୁନ୍ନାରର ଚା ବଗିଚାରେ କାମ କରୁଥିବା ଶ୍ରମିକମାନେ ବ୍ୟାଙ୍କ୍ ଖାତା ଖୋଲିବା ପାଇଁ ପୋଷ୍ଟ ଅଫିସ୍ ରେ ପହଞ୍ଚି ଯାଇଥିଲେ ।
କେନ୍ଦ୍ର ସରକାର ପୋଷ୍ଟାଲ ବ୍ୟାଙ୍କ୍ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଜମା କରିବା ନେଇ ଯୋଜନା କରୁଥିବା ଖବର ସୋସିଆଲ ମିଡିଆରେ ବ୍ୟାପିଯାଇଥିଲା । ଟଙ୍କା କେବଳ ସେହିମାନଙ୍କ ଆକାଉଣ୍ଟକୁ ଯିବ ଯେଉଁମାନଙ୍କର ପୋଷ୍ଟାଲ ବ୍ୟାଙ୍କ୍ ରେ ଖୋଲାଯାଇଥିବ । ଯାହା ଫଳରେ ବ୍ୟାଙ୍କ୍ ଖାତା ଖୋଲିବାକୁ ଭିଡ ଲାଗି ରହିଛି ।
ଲୋକମାନେ ନିଜ କାମଧନ୍ଧା ଛାଡି ଖାତା ଖୋଲିବା ପାଇଁ ପୋଷ୍ଟ ଅଫିସ୍ ପହଞ୍ଚି ଯାଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୧୦୦ରୁ ଅଧିକ ନୂଆ ଖାତା ଖୋଲାଯାଇସାରିଛି । ପୂର୍ବରୁ ସୋସିଆଲ ମିଡିଆରେ ଗୋଟିଏ ଖବର ଭାଇରାଲ୍ ହୋଇଥିଲା ଯେ, ସରକାର ବାସହୀନଙ୍କୁ ଘର ଯୋଗାଇଦେବା ପାଇଁ ଯୋଜନା କରୁଛନ୍ତି । ଖବର ବ୍ୟାପିବା ପରେ ଲୋକମାନେ ଦେବୀକୁଲମ ଆରଡିଓ କାର୍ଯ୍ୟାଳୟରେ ଭିଡ ଜମାଇଥିଲେ ।