ଦେଶ ଉଦ୍ଦେଶ୍ୟରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନକୁ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି : କହିଲେ, 'ଆୟୁର୍ବେଦ ଆମର ପରମ୍ପରା'

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଗୁଜୁରାଟ ଏବଂ ରାଜସ୍ଥାନରେ ଦୁଇଟି ଆୟୁର୍ବେଦ ପ୍ରତିଷ୍ଠାନର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା କାଳରେ ଆୟୁର୍ବେଦ ଦେଶର ହିତ କରିଛି । କରୋନା କାଳରେ ହଳଦୀ ସମେତ ଅନ୍ୟ ସାମଗ୍ରୀ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ସାରା ବିଶ୍ବ ଆୟୁର୍ବେଦକୁ ନେଇ କିଛି ନୂଆ ତଥ୍ୟ ଜାଣିବାକୁ ଚାହୁଁଛି ଏବଂ ଏ ସମ୍ବନ୍ଧରେ ଗବେଷଣା ମଧ୍ୟ ଚାଲିଛି । ଦେଶରେ ଟିକାର ଟ୍ରାଏଲ ଚାଲିଛି । ଏହାସହ ସାରା ବିଶ୍ବର ପ୍ରାୟ ଶହେରୁ ଅଧିକ ସ୍ଥାନରେ ଆୟୁର୍ବେଦର ଔଷଧିକୁ ନେଇ ଗବେଷଣା ଚାଲିଛି ।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ, ‘ଏହା ସର୍ବଦା ଏକ ପ୍ରତିଷ୍ଠିତ ସତ୍ୟ ଯେ ଭାରତରେ ସ୍ବାସ୍ଥ୍ୟ ସହ ଜଡିତ ଏକ ବିରାଟ ଐତିହ୍ୟ ରହିଛି। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଏହି ଜ୍ଞାନ ଅଧିକାଂଶ ପୁସ୍ତକ, ଶାସ୍ତ୍ର ଏବଂ ଜେଜେବାପା-ଜେଜେମା’ଙ୍କ ଟିପ୍ସ, ଆଧୁନିକ ଆବଶ୍ୟକତା ଅନୁଯାୟୀ ଏହି ଜ୍ଞାନକୁ ବିକଶିତ କରିବାର ଆବଶ୍ୟକତା ରହିଛି । ମୁଁ ବିଶ୍ବାସ କରେ ଯେ ଆମର ସାଧାରଣ ଉଦ୍ୟମ ସହିତ କେବଳ ଆୟୁଷ ନୁହେଁ ବରଂ ଆମର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବ୍ୟବସ୍ଥା ଏକ ବଡ ପରିବର୍ତ୍ତନର ସାକ୍ଷୀ ହେବ । ସମୟ ବଦଳିବା ସହିତ ଆଜି ସବୁକିଛି ଇଣ୍ଟିଗ୍ରେଟ୍ ହେଉଛି । ସ୍ବାସ୍ଥ୍ୟ ମଧ୍ୟ ଏଥିରୁ ଭିନ୍ନ ନୁହେଁ। ଏହି ଚିନ୍ତାଧାରା ସହିତ ବିଭିନ୍ନ ଚିକିତ୍ସା ପଦ୍ଧତିକୁ ଇଣ୍ଟିଗ୍ରେଟ୍ କରିବା ପାଇଁ ଦେଶ ଗୋଟିଏ ପରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଉଛି । ଏହି ଚିନ୍ତାଧାରା ଆୟୁଷକୁ ଦେଶର ସ୍ବାସ୍ଥ୍ୟ ନୀତିର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ କରିପାରିଛି।’

ସୂଚନାଯୋଗ୍ୟ ଯେ, ଗୁଜୁରାଟ ଜାମନଗରରେ ଆୟୁର୍ବେଦ ଶିକ୍ଷାଦାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନକୁ ଜାତୀୟ ପ୍ରତିଷ୍ଠାନର ମାନ୍ୟତା ଦିଆଯାଇଛି । ସେହିଭଳି ଜୟପୁରରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନକୁ ସମ୍ମାନଜନକ ବିଶ୍ବବିଦ୍ୟାଳୟର ମନ୍ୟତା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.