ଦୀପାବଳି ଅବସରରେ ଆର୍ମି କ୍ୟାମ୍ପରେ ଆଇଟିବିପି ଯବାନଙ୍କୁ ଶୁଭେଚ୍ଛା ଜଣାଇ ମିଠା ଖୁଆଇଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | November 07, 2018 IST

ଡେରାଡୁନ ୭/୧୧ : ଆଜି ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଚୀନ ସୀମାରେ ହରସିଲ ଆର୍ମି କ୍ୟାମ୍ପରେ ଆଇଟିବିପି ଯବାନଙ୍କୁ ଶୁଭେଚ୍ଛା ଜଣେଇଛନ୍ତି | ଏହି ଅବସରରେ ସେ ସମସ୍ତ ଯବାନଙ୍କୁ ମିଠା ଖୁଆଇ ଦୀପାବଳି ଶୁଭେଚ୍ଛା ଜଣେଇଛନ୍ତି | ଏହା ପରେ ସେ କେଦାରନାଥ ପହଂଚି ଦର୍ଶନ କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିନିକିଆ ଗସ୍ତ ପାଇଁ ଜୋଲୀଗ୍ରାଣ୍ଟ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା | ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ସକାଳ ୬ଟା ୪୭ ମିନିଟରେ ଜୋଲୀଗ୍ରାଣ୍ଟ ବିମାନବନ୍ଦରରେ ପହଂଚିଥିଲେ | ୭ଟା ୧୦ ମିନିଟରେ ମୋଦି ଜୋଲୀଗ୍ରାଣ୍ଟ ବିମାନବନ୍ଦରରୁ ୪ ଏମ ଆଇ-୧୭ ହେଲିକେପ୍ଟରରେ ବସି ଉତ୍ତରକାସି ଜିଲ୍ଲାରେ ଅବସ୍ଥିତ ଭାରତ ଚୀନ ସୀମାବର୍ତ୍ତୀ ହରସିଲ ଯିବା ପାଇଁ ବାହାରିଲେ | ୭.୫୫ରେ ମୋଦି ହରସିଲରେ ପହଂଚିଥିଲେ | ଗଙ୍ଗା ନଦୀ କୁଳରେ ଥିବା ଶିବ ମନ୍ଦିରରେ ପୂଜା କରିଥିଲେ | ସେଠାରୁ ମୋଦି ମହାର ରେଜମେଣ୍ଟର ଆର୍ମି କ୍ୟାମ୍ପକୁ ଯାଇଥିଲେ | ଆର୍ମି ଯବାନ ମୋଦିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ | ମୋଦି ମଧ୍ୟ ଯବାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣେଇବା ସହ ମିଠା ଖୁଆଇଥିଲେ | ସେଠାରେ ମୋଦି ଯବାନମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ | ସୀମାରେ ସୁରକ୍ଷା ବ୍ୟବସ୍ଥା ନେଇ ମୋଦି ସାମରିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ | ପାଖରେ ଥିବା ବଗୌରୀ ଗାଁର ଗ୍ରାମବାସୀ ମଧ୍ୟ ମୋଦିଙ୍କୁ ସାକ୍ଷତ କରିବାକୁ ଆସିଥିଲେ | ଗ୍ରାମବାସୀ ମୋଦିଙ୍କୁ ପଶମ ଚାଦର ଉପହାର ଦେଇଥିଲେ | ମୋଦି ଆଇଟିବିପି ଯବାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସୁରକ୍ଷା କ୍ଷେତ୍ରରେ ଭାରତ ବହୁତ ଉନ୍ନତି କରିଛି | ୟୁଏନ ଶାନ୍ତି ଅଭିଯାନ ତରଫରୁ ଭାରତୀୟ ସେନାକୁ ପୁରା ବିଶ୍ୱରେ ପ୍ରଶଂସା କରାଯାଉଛି ବୋଲି କହିଥିଲେ | ଭାରତୀୟ ସେନା ୧୨୫ କୋଟି ଭାରତୀୟଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି | ଗ୍ରାମବାସୀଙ୍କୁ ମୋଦି କହିଛନ୍ତି ଯେ, ସେମାନଙ୍କର ଯାହା ବି ସମସ୍ୟା ଅଛି ତାର ସମାଧାନ ପାଇଁ ସେମାନେ ଦିଲ୍ଲୀ ଆସନ୍ତୁ | ଏହା ପରେ ୯.୧୫ରେ ମୋଦି ହରସିଲରୁ ବିଦାୟ ନେଇଥିଲେ | ତେବେ ପ୍ରଶାସନକୁ ମୋଦିଙ୍କ ଗସ୍ତର କୌଣସି ଆଗୁଆ ସୂଚନା ଦିଆଯାଇନଥିଲା | ସୁରକ୍ଷା ଦୃଷ୍ଟିରୁ ମୋଦିଙ୍କ ଗସ୍ତକୁ ଗୁପ୍ତ ରଖାଯାଇଥିଲା | ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ପ୍ରତିବର୍ଷ ଦୀପାବଳି ଅବସରରେ ଭାରତ ସୀମାନ୍ତ ଆର୍ମି କ୍ୟାମ୍ପ ଯାଇ ଯବାନଙ୍କ ସହିତ ଆଲୋଚନା କରି ଦୀପାବଳିର ଶୁଭେଚ୍ଛା ଜଣେଇଥାନ୍ତି | ସେଠାରୁ ସେ ବାବା କେଦାରନାଥଙ୍କ ଦର୍ଶନ ପାଇଁ କେଦାରନାଥ ଯାଇଥିଲେ | ସେଠାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଜେପି ଅଧ୍ୟକ୍ଷ ଏବଂ ସାଂସଦ ମୋଦିଙ୍କୁ ଭବ୍ୟ ସ୍ୱାଗତ  ଜଣେଇଥିଲେ | କେଦାରନାଥ ମନ୍ଦିରରେ ପୂଜା କରି ସେ କେଦାରନାଥରେ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ | ଏହା ସହ ସେ ବ୍ରହ୍ମବାଟିକାର କାର୍ଯ୍ୟ ତଦାରଖ କରିଥିଲେ |  ଦୀପାବଳି ପାଇଁ କେଦାରପୁରୀକୁ ବହୁତ ସୁନ୍ଦର ହିସାବରେ ସଜା ଯାଇଥିଲା | ପୁରା ମନ୍ଦିରକୁ ଫୁଲରେ ସଜ୍ଜିତ ଯାଇଥିଲା | ମନ୍ଦିରର ଦ୍ୱାରାଭାଗରେ ରଙ୍ଗୋଲି  କରାଯାଇଥିଲା | ମୋଦିଙ୍କ ଗସ୍ତ ଯୋଗୁଁ ସାଧାରଣ ଦର୍ଶନ ବନ୍ଦ ରହିଥିଲା | ସମସ୍ତ ଅଂଚଳକୁ ସୁରକ୍ଷା ଦୃଷ୍ଟିରୁ ଜିରୋ ଜୋନରେ ପରିଣତ କରାଯାଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.