ବ୍ରିକ୍ସରେ ଆତଙ୍କବାଦକୁ ଦୁନିଆର ସବୁଠୁ ବଡ ସମସ୍ୟା କହିଲେ ପ୍ରଧାନମନ୍ତ୍ରୀ ମୋଦୀ, ଜାତିସଂଘରେ ସୁଧାରର ଆବଶ୍ୟକତା ଉପରେ ଦେଲେ ଜୋର

Published By : Prameya-News7 Bureau | November 17, 2020 IST

ନୂଆଦିଲ୍ଲୀ ୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରିକ୍ସ ସମ୍ମିଳନୀର ଭର୍ଚୁଆଲ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ଵୋଧନରେ ପ୍ରଧାନମନ୍ତ୍ରୀ ଆତଙ୍କବାଦକୁ ଦୁନିଆର ସବୁଠୁ ବଡ ସମସ୍ୟା ଦର୍ଶାଇ କାହାରି ନାମ ନନେଇ ପାକିସ୍ତାନକୁ ନିଶାଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଆତଙ୍କବାଦ ଆଜି ବିଶ୍ଵ ସାମ୍ନାରେ ସବୁଠୁ ବଡ ସମସ୍ୟା।  ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଆତଙ୍କବାଦୀଙ୍କୁ ସମର୍ଥନ ଏବଂ ସହାୟତା ଦେଉଥିବା ଦେଶକୁ ମଧ୍ୟ ଦୋଷୀ ବିବେଚନା କରାଯାଉ ଏବଂ ସଂଗଠିତ ଭାବେ ଏହି ସମସ୍ୟାର ମୁକାବିଲା କରାଯାଉ।

ପ୍ରଧାନମନ୍ତ୍ରୀ ମୋଦୀ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସପ୍ତାହରେ ଦ୍ଵିତୀୟ ଥର ଭର୍ଚୁଆଲ ମଞ୍ଚରେ ଏକତ୍ର  ହୋଇଛନ୍ତି। ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା(ବ୍ରିକ୍ସ)ର ନେତା କୋଭିଡ୍-୧୯ ମହାମାରୀ ମଧ୍ୟରେ ଅର୍ଥନୀତିକୁ ପୂର୍ବ ଟ୍ରାକକୁ ଫେରାଇ ଆଣିବା ଉପରେ ଆଲୋଚନା କରିଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆମନ୍ତ୍ରଣ ଉପରେ ପ୍ରଧାନମନ୍ତ୍ରୀ ମୋଦୀ, ଗ୍ଲୋବାଲ ଷ୍ଟାବିଲିଟି, ‘ସେୟାର୍ଡ ସିକ୍ୟୁରିଟି ଆଣ୍ଡ ଇନୋଭେଟିଭ ଗ୍ରୋଥ’ ପ୍ରସଙ୍ଗରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଅଂଶ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ, ବିଶ୍ଵ ବାଣିଜ୍ୟ ସଂଗଠନ ଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପରି ବହୁପକ୍ଷୀୟ ସଂସ୍ଥାରେ ସୁଧାର ଉପରେ ଜୋର ଦେଇ କହିଛନ୍ତି, ଏହି ସଂସ୍ଥାର ବିଶ୍ଵସନୀୟତା ଉପରେ ପ୍ରଶ୍ନ ଉଠୁଛି। ଏହାର କାରଣ ସମୟ ଅନୁସାରେ ଏହାର ପରିବର୍ତ୍ତନ କରାଯାଉ ନାହିଁ। ଏହା ଏବେ ମଧ୍ୟ ୭୫ ବର୍ଷର ପୁରୁଣା ଚିନ୍ତାଧାରାରେ ଅଟକି ରହିଛି। ଜାତିସଂଘର ସୁରକ୍ଷା ପରିଷଦରେ ମଧ୍ୟ ସୁଧାରର ଆବଶ୍ୟକତା ରହିଛି। ଏଥିରେ ଆମକୁ ବିକ୍ସ ସାଥୀଙ୍କ ସହଯୋଗର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ଆତ୍ମ ନିର୍ଭର ଭାରତ ଅଭିଯାନ ଆଧାରରେ ଏକ ବ୍ୟାପକ ସୁଧାର ପ୍ରକ୍ରିୟା ଆରମ୍ଭ କରିଛୁ। ଏହି କ୍ୟାମ୍ପେନ ଏହି ବିଶ୍ଵାସ ଉପରେ ଆଧାରିତ ଯେ, ଆତ୍ମ ନିର୍ଭର ଭାରତ କୋଭିଡ୍-୧୯ ମହାମାରୀ ପରେ ବିଶ୍ଵ ଅର୍ଥ ବ୍ୟବସ୍ଥା ପାଇଁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ଏବଂ ଗ୍ଲୋବାଲ ଭେଲ୍ୟୁ ଚେନରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇ ପାରେ। ଏହାର ପ୍ରଭାବ ଆମେ କୋଭିଡ୍-୧୯ ମହାମାରୀ ସମୟରେ ଦେଖିଛୁ, ଯେବେ ଭାରତୀୟ ଫାର୍ମା ଉଦ୍ୟୋଗର କ୍ଷମତା କାରଣରୁ ଭାରତ ୧୫୦ରୁ ଅଧିକ ଦେଶକୁ ଆବଶ୍ୟକ ଔଷଧ  ପଠାଇ ପାରିଛୁ। ଆମର ଭ୍ୟାକସିନ ଉତ୍ପାଦନ ଓ ଯୋଗାଣ କ୍ଷମତା ଏହି ପରି ମାନବତାର ହିତରେ କାମ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.