ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

Published By : Prameya-News7 Bureau | May 22, 2020 IST

ଭୁବନେଶ୍ୱର ୨୨।୦୫: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ।  ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତର ଆସିଛନ୍ତି । କରୋନା ଲକଡାଉନ ଯୋଗୁ ଗତ ୮୩ ଦିନ ଧରି ପ୍ରଧାନମନ୍ତ୍ରୀ କୌଣସି ଗସ୍ତ କରିନାହାନ୍ତି । ଗତ ଫେବୃଆରୀ ୨୯ ରେ ଶେଷଥର ପାଇଁ ପ୍ରୟାଗରାଜ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଅମ୍ଫାନ ପ୍ରକୋପରେ ପଶ୍ଚିମବଙ୍ଗ ଏବଂ ଓଡିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହି ସ୍ଥିତି ସମୀକ୍ଷା କରିବା ଲାଗି ଆସିଛନ୍ତି ପ୍ରଧାନମନ୍ତ୍ରୀ । ଆକାଶମାର୍ଗରୁ ବାତ୍ୟାଞ୍ଚଳ ଅନୁଧ୍ୟାନ କରିବା ସହ ପ୍ରଧାନମନ୍ତ୍ରୀ ରାଜ୍ୟର ବରିଷ୍ଠ ପଦାଧିକାରୀଙ୍କ ସହ ସ୍ଥିତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ବିମାନବନ୍ଦରରେ ପହଞ୍ଚିଛନ୍ତି ।

ପ୍ରଧାନମନ୍ତ୍ରୀ କୋଲକାତାରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହାପରେ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ କୋଲକାତାରୁ ବାହାରି ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିଛନ୍ତି । ବାୟୁସେନାର M-17 ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ । ଦିଲ୍ଲୀରୁ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ବାବୁଲ ସୁପ୍ରିୟୋ ମଧ୍ୟ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ବାତ୍ୟା ଅଞ୍ଚଳ ପରିଦର୍ଶନ କରିବେ । ବାତ୍ୟାଞ୍ଚଳ ପରିଦର୍ଶନ ପରେ ଅପରାହ୍ନ ୪.୫୦ମିନିଟରେ ଭୁବନେଶ୍ବର ବିମାନ ବନ୍ଦରକୁ ଫେରିବା ପରେ ବିମାନ ବନ୍ଦର ପରିସରରରେ ସଂଧ୍ୟା ୫ଟାରୁ ୬ଟା ପର୍ଯ୍ୟନ୍ତ ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିବେ। ସଂଧ୍ୟା ୬ଟା ୧୫ମିଟରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିବେ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ଡିଜି ଅଭୟ, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ଏୟାରପୋର୍ଟରେ ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.