କୃଷକମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍‌, ଥଣ୍ଡା ଏବଂ ଜ୍ବରକୁ ହାଲକାରେ ନିଅନ୍ତୁ ନାହିଁ, ଗାଁରେ ବି ବ୍ୟାପୁଛି କରୋନା ସଂକ୍ରମଣ

Published By : Prameya-News7 Bureau | May 14, 2021 IST

ନୂଆଦିଲ୍ଲୀ ୧୪/୫: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଭାରତର କୃଷକଙ୍କୁ ଅଷ୍ଟମ କିସ୍ତିରେ ୨୦ ହଜାର କୋଟି ଟଙ୍କା ଜାରି କରିଛି କେନ୍ଦ୍ର। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର କୃଷକଙ୍କୁ ଖାସ ଅପିଲ ମଧ୍ୟ କରିଛନ୍ତି। କରୋନା ସମୟରେ ସାଧାରଣ ଥଣ୍ଡା ଏବଂ ଜ୍ବର ଭଳି ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ। ଏମିତି କିଛି ଲକ୍ଷଣ ଦେଖା​‌ ଦେଲେ ନିଜକୁ ଆଇସୋଲେଟ୍‌ କରିବା ସହ ଶୀଘ୍ର ଚିକିତ୍ସା ଆରମ୍ଭ କରିଦିଅନ୍ତୁ ବୋଲି ମୋଦୀ କହିଛନ୍ତି। ଗ୍ରାମାଞ୍ଚଳରେ କରୋନା ବ୍ୟାପୁଥିବାରୁ କୃଷକମାନଙ୍କୁ ସଜାଗ ରହିବାକୁ ମଧ୍ୟ ସେ ଅପିଲ କରିଛନ୍ତି।

ମୋଦୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ କରୋନାର ଦ୍ବିତୀୟ ଲହର ସହ ମୁକାବିଲା କରିବାକୁ ସରକାର ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି। ନୂଆ ହସ୍ପିଟାଲ ସମେତ ଅକ୍ସିଜେନ୍‌ ପ୍ଲାଣ୍ଟ ତିଆରି କରାଯାଉଛି। ରାଜ୍ୟରେ ଔଷଧ, ଚିକିତ୍ସା ସମ୍ବନ୍ଧୀୟ ଉପକରଣର କଳାବଜାରୀ ରୋକିବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଅପିଲ କରାଯାଇଛି। ସେ କହିଛନ୍ତି, ‘ମୁଁ ଆପଣମାନଙ୍କୁ ସଚେତନ କରିବାକୁ ଚାହୁଁଛି। ଗାଁରେ ଏବେ କରୋନା ସଂକ୍ରମଣ ବ୍ୟାପୁଛି। ସରକାରଙ୍କ ପକ୍ଷରୁ ଏହାକୁ ରୋକିବାକୁ ଚେଷ୍ଟା ଚାଲିଛି। ମହାମାରୀକୁ ନେଇ ଗ୍ରାମାଞ୍ଚଳରେ ସଚେତନତା କରାଇବା ସହ ପଞ୍ଚାୟତର ସହଯୋଗ ମାଧ୍ୟମରେ ଏଥିରୁ ରକ୍ଷା ମିଳିପାରିବ। ନିୟମିତ ଏବଂ ଠିକ୍‌ ଢ଼ଙ୍ଗରେ ମାସ୍କ ପିନ୍ଧିବାକୁ ପଡ଼ିବ।’ 

ଏହା ସହ ବିଶ୍ବାସ ଅଛି ଦେଶ କରୋନା ବିରୋଧୀ ଲଢ଼େଇରେ ବିଜୟୀ ହେବ। କରୋନାକୁ ଅଦୃଶ୍ୟ ଏବଂ ବହୁରୂପୀର ଆଖ୍ୟା ଦେଇ ମୋଦୀ କହିଛନ୍ତି, ଏହାକୁ ଚେକ୍‌ ଦେବା ପାଇଁ ଆମକୁ ସମସ୍ତ ସ୍ତରରେ ସତର୍କ ରହିବାକୁ ହେବ। ପିଏମ ମୋଦୀ କହିଛନ୍ତି, ’୧୦୦ ବର୍ଷ ପରେ ଏଭଳି ମହାମାରୀ ବିଶ୍ବର ପରୀକ୍ଷା ନେଉଛି। ଆମ ସାମ୍ନାରେ ଏକ ଅଦୃଶ୍ୟ ଶତ୍ରୁ ଛିଡ଼ା ହୋଇଛି, ଯିଏକି ଭିନ୍ନ ଭିନ୍ନ ରୂପରେ ଦେଖାଦେଉଛି। ଏହା ସହ ଲଢ଼େଇରେ ଆମେ ନିଜର ଲୋକଙ୍କୁ ହରାଇଛୁ।’  ନିଜର ଲୋକଙ୍କୁ କରୋନାରେ ହରାଇଥିବା ଲୋକଙ୍କ ପାଇଁ ସହାନୁଭୂତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ। ଯେଉଁ ଦୁଃଖରେ ଲୋକମାନେ ଅଛନ୍ତି ତାହାକୁ ମୁଁ ହୃଦୟଙ୍ଗମ କରିପାରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.