ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା

Published By : Prameya-News7 Bureau | October 12, 2019 IST

ମହାବଳୀପୁରମ୍ ୧୨।୧୦: ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ । ଗତକାଲି ମହାବଳୀପୁରମ୍‌ରେ ଦୁଇ ନେତାଙ୍କ ମଧ୍ୟରେ ମୁଲାକାତ ହୋଇଥିବା ବେଳେ ଆଜି ହେବ ୱାନ୍-ଟୁ- ୱାନ । ଆଜି ଚେନ୍ନାଇର ଶେରାଟନ ଗ୍ରାଣ୍ଡ ହୋଟେଲରେ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଓ ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହେବ । ରାଷ୍ଟ୍ରପତି ଜିନପିଙ୍ଗ୍ ଏବଂ ମୋଦିଙ୍କ ମଧ୍ୟରେ ଆଜି ୨ଟି ପର୍ଯ୍ୟାୟରେ ମୋଟ ୬ ଘଣ୍ଟାର ବୈଠକ ଅନୁଷ୍ଠିତ ହେବ । ଏହା ପରେ ଉଭୟ ନେତା ମିଳିତ ପ୍ରେସ୍ କନଫରେନ୍ସ ମଧ୍ୟ କରିବା ନେଇ ଚର୍ଚ୍ଚା ହେଉଛି ।

ତେବେ ଜିନପିଙ୍ଗଙ୍କ ସହିତ ମୋଦି କାଶ୍ମୀର ପ୍ରସଙ୍ଗରେ କିଭଳି ଆଲୋଚନା କରୁଛନ୍ତି ତା ଉପରେ ସାରା ବିଶ୍ବର ନଜର ରହିଛି । ସେହିପରି ପ୍ରଶାନ୍ତ ମହାସାଗରରେ ଅସ୍ଥିରତା, ସୀମା ବିବାଦ, ଆତଙ୍କବାଦ, ବାଣିଜ୍ୟ ଅସନ୍ତୁଳନ, ଟେରର୍ ଫଣ୍ଡିଂ ଉପରେ ମଧ୍ୟ ଉଭୟ ଦେଶ ମଧ୍ୟରେ ଆଲୋଚନା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଆମେରିକା ସହ ଚୀନର ଟ୍ରେଡ୍ ୱାର ଚାଲିଥିବା ବେଳେ ଭାରତ ସହ ବ୍ୟବସାୟିକ କାରବାର ବଢାଇବା ଲାଗି ଚୀନ୍ ଆଗ୍ରହୀ । ତେଣୁ ଏଦୃଷ୍ଟିରୁ ଦୁଇ ଦେଶ ଭିତରେ ଆଲୋଚନା ଆଗରୁ ବଢିପାରେ । ତେବେ ଜିନପିଙ୍ଗଙ୍କ ଏହି ଗସ୍ତ ସମୟରେ ଉଭୟ ଦେଶ ମଧ୍ୟରେ କୌଣସି ପ୍ରକାର ଚୁକ୍ତି ବା ଏମଓୟୁ ସ୍ବାକ୍ଷରିତ ହେବାର ସମ୍ଭାବନା ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.