ନା ଥକିବା, ନା ହାରିବା, ନା ଭାଙ୍ଗି ପଡିବା… ନିଜକୁ ଆତ୍ମ ନିର୍ଭରଶୀଳ କରାଇବାର ସମୟ ଆସିଛି

Published By : Prameya-News7 Bureau | May 12, 2020 IST

ନୂଆଦିଲ୍ଲୀ ୧୨।୦୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସଙ୍କଟ ସମୟରେ ଚତୁର୍ଥ ଥର ଦେଶକୁ ସମ୍ବୋଧିତ କରିବା ସମୟରେ ‘ଆତ୍ମ ନିର୍ଭର ଭାରତ ଅଭିଯାନ’ର ଘୋଷଣା କରିଛନ୍ତି। ଏଥିରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରାଯାଇଛି।  ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସଂକ୍ରମଣ ମୁକାବିଲାରେ ଦୁନିଆକୁ ଚାରି ମାସର ସମୟ ବିତି ଯାଇଛି। ଏହି ସମୟରେ ସମଗ୍ର ବିଶ୍ଵରେ ୪୨ ଲକ୍ଷରୁ ଅଧିକ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ପ୍ରାୟ ଅଢେଇ ଲକ୍ଷରୁ ଅଧିକ ଲୋକଙ୍କ ଦୁଃଖ ମୃତ୍ୟୁ ଘଟି ସାରିଲାଣି।

ଭାରତରେ ମଧ୍ୟ ଅନେକ ପରିବାର ନିଜ ପରିଜନଙ୍କୁ ହରାଇଛନ୍ତି। ମୁଁ ସମସ୍ତଙ୍କ ପ୍ରତି ସମବେଦନା  ବ୍ୟକ୍ତ କରୁଛି। ଗୋଟିଏ ଭାଇରସ୍‌ ପୂରା ଦୁନିଆକୁ ଧ୍ଵସ୍ତବିଧ୍ଵସ୍ତ କରି ଦେଇଛି। ସମଗ୍ର ବିଶ୍ଵରେ କୋଟି କୋଟି ଲୋକ କରୋନା ସଙ୍କଟର ମୁକାବିଲା କରୁଛି। ପୂରା ଦୁନିଆ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେବେ କରୋନା ସଙ୍କଟ ଆରମ୍ଭ ହେଲା ତେବେ ଭାରତରେ ଗୋଟିଏ ହେଲେ ପିପିଇ କିଟ୍ ନଥିଲା। ଏନ-୯୫ ମାସ୍କ ଭାରତରେ ନାମ ମାତ୍ର ଉତ୍ପାଦନ ହେଉଥିଲା। ଆଜିର ତାରିଖରେ ଭାରତରେ ପ୍ରତି ଦିନ ୨ ଲକ୍ଷ ପିପିଇ ଓ ୨ ଲକ୍ଷ ଏନ-୯୫ ମାସ୍କ ତିଆରି କରୁଛି।

ଗୋଟିଏ ଦେଶ ଭାବେ ଆଜି ଆମେ ଏକ ମଜତ୍ଵପୂର୍ଣ୍ଣ ମୋଡରେ ଛିଡା  ହୋଇଛେ। ଏତେ ବଡ ବିପଦ, ଭାରତ ପାଇଁ ସଙ୍କେତ ନେଇ ଆସିଛି। ଏକ ସନ୍ଦେଶ ନେଇ ଆସିଛି। ଏକ ସୁଯୋଗ ନେଇ ଆସିଛି। ଏହା ଆମ ସଭିଙ୍କ ଲାଗି ଏକ ଦାୟିତ୍ଵ ନେବାର ସମୟ। ମାତ୍ର ଥକିବା ନାହିଁ, ହରିବା ନାହିଁ, ଭାଙ୍ଗି ପଡିବା ନାହିଁ।  ସତର୍କ ରହି ଏମିତି ଲଢେଇର ସମସ୍ତ ନିୟମ ପାଳନ କରି ଆମକୁ ବଞ୍ଚିବାକୁ ପଡିବ ଏବଂ ଆଗକୁ ବଢିବାକୁ ପଡିବ।

ଭାରତ ଯେବେ ଆତ୍ମ ନିର୍ଭରତାର କଥା  କୁହେ ତ ଆତ୍ମ କେନ୍ଦ୍ରୀତ ବ୍ୟବସ୍ଥାର ଯୁକ୍ତି ବାଢେ ନାହିଁ। ଭାରତର ଆତ୍ମନିର୍ଭରତାରେ ସଂସାରର ସୁଖ, ସହଯୋଗ ଓ ଶାନ୍ତିର ଚିନ୍ତା ରହିଥାଏ। ଭାରତର ପ୍ରଗତିରେ ସର୍ବଦା ବିଶ୍ଵର ପ୍ରଗତି ସମାହିତ ରହିଥାଏ। ଭାରତ  ଲକ୍ଷ୍ୟର ପ୍ରଭାବ ଭାରତର କାର୍ଯ୍ୟକୁ ପ୍ରଭାବିତ କରିବା ସହିତ ବିଶ୍ଵ କଲ୍ୟାଣ ଉପରେ ମଧ୍ୟ ପକାଇଥାଏ।

ଭାରତକୁ ଆତ୍ମ ନିର୍ଭରଶୀଳ କରାଇବାର ଅଛି। ଆଜି ଆମ ପାଖରେ ସମ୍ବଳ ରହିଛି। ପର୍ଯ୍ୟାପ୍ତ ସାମର୍ଥ୍ୟ ରହିଛି। ଆମ ପାଖରେ ଦୁନିଆର ଉନ୍ନତ ପ୍ରତିଭା ରହିଛି। ଆମେ ଉତ୍କୃଷ୍ଟ ଉତ୍ପାଦ ନିର୍ମାଣ କରିବୁ। ନିଜର ଗୁଣବତ୍ତା ଉନ୍ନତ କରିବୁ। ଯୋଗାଣ ପ୍ରକ୍ରିୟାକୁ ଆହୁରି ଆଧୁନିକୀକରଣ କରିବୁ। ଏହା ଆମେ କରି ପାରିବୁ ଏବଂ ଆମେ ନିଶ୍ଚୟ କରିବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.