ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କରୋନା ସମୀକ୍ଷା ମଙ୍ଗଳବାର, ଭିଡିଓ କନଫରେନସିଂରେ ହେବ ଆଲୋଚନା
23/11/2020 at 5:22 PM

ନୂଆଦିଲ୍ଲୀ ୨୩।୧୨: ଚିନ୍ତା ବଢାଇଲା କରୋନା ! ମାତ୍ର ସ୍ୱଳ୍ପ ସମୟର ବ୍ୟବଧାନ ପରେ ହୁ ହୁ ହୋଇ ବ୍ୟାପିବାରେ ଲାଗିଛି ସଂକ୍ରମଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିଭିନ୍ନ ରାଜ୍ୟର କରୋନାସ୍ଥିତି ସମୀକ୍ଷା କରିବେ। ଭିଡିଓ କନଫରେନସିଂରେ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ତେବେ କରୋନା ଲକଡାଉନ୍ ହଟିବା ପରେ ପୁଣି ଥରେ ଅନୁଷ୍ଠିତ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀଙ୍କ ସିଏମ କନଫରେନ୍ସରେ କେଉଁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ସେ ନେଇ ସୂଚନାକୁ ଅପେକ୍ଷା କରାଯାଇଛି।
ଦିଲ୍ଲୀ, ଗୁଜରାଟ ଓ ମହାରାଷ୍ଟ୍ରରେ ପରିସ୍ଥିତି ଏବେ ଉଗ୍ର ରୂପ ଧାରଣ କରିଛି। ସୁପ୍ରିମକୋର୍ଟ ମଧ୍ୟ ବଢୁଥିବା ମାମଲାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। କୋର୍ଟ ସମସ୍ତ ରାଜ୍ୟଙ୍କୁ କରୋନା ମୁକାବିଲା ଲାଗି ନିଆଯାଇଥିବା ପଦକ୍ଷେପ ସମ୍ପର୍କିତ ଷ୍ଟାଟସ ରିପୋର୍ଟ ତଲବ କରିଛନ୍ତି। ତେବେ ଦିଲ୍ଲୀ ଓ ଗୁଜରାଟରେ ବଢୁଥିବା ସଂକ୍ରମଣ ଲାଗି କୋର୍ଟ ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଯଦି ଏବେଠାରୁ ପଦକ୍ଷେପ ନିଆ ନ ଯାଏ ତେବେ ଡିସେମ୍ବର ମାସରେ ପରିସ୍ଥିତି ଅଣାୟତ ହୋଇଯିବ ବୋଲି କୋର୍ଟ କହିଛନ୍ତି। ମାମଲାର ଆଗାମୀ ଶୁଣାଣି ନଭେମ୍ବର ୨୭ରେ ହେବ।
ସେପଟେ ଜାତୀୟ ରାଜଧାନୀରେ କରୋନା ନିୟନ୍ତ୍ରଣ ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ମଲ୍ଟି ଫୋଲ୍ଡ ରଣନୀତି ହାତକୁ ନେଇଥିବା ଜଣାଇଛନ୍ତି। ଘାତକ ଭୂତାଣୁ ବିରୋଧରେ ଲଢାଇଲାଗି ଦିଲ୍ଲୀ ସରକାରଙ୍କ ସାଙ୍ଗେ ଆସିଛନ୍ତି ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)। କରୋନା ନିୟନ୍ତ୍ରଣ ଲାଗି ସ୍ୱଳ୍ପ ଅବଧିରେ ଦିଲ୍ଲୀର ସରକାରୀ ହସ୍ପିଟାଲ ମାନଙ୍କରେ ଅଧିକ ୭୦୦ ବେଡ ସଂଯୁକ୍ତ କରାଯାଇଛି। ସେହିପରି ରାଜଧାନୀର ସରକାରୀ ଓ ଘରୋଇ ହସ୍ପିଟାଲମାନଙ୍କରେ କୋଭିଡ-୧୯ ଚିକିତ୍ସା ଲାଗି ୮୦ ପ୍ରତିଶତ ବେଡ୍ ସଂରକ୍ଷିତ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।