ଆଜିଠାରୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ୨ଦିନିଆ ବୈଠକରେ କରୋନାର ତାଜା ସ୍ଥିତି ଏବଂ ମୁକାବିଲା ରଣନୀତି ନେଇ ହେବ ଆଲୋଚନା
16/06/2020 at 9:37 AM

ନୂଆଦିଲ୍ଲୀ ୧୬।୦୬: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ମୁକାବିଲା, ଲକ୍ଡାଉନ୍ ସ୍ଥିତି ଓ ଆର୍ଥିକ ଗତିବିଧି ତ୍ବରାନ୍ବିତ କରିବା ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଭିଡିଓ କନ୍ଫରେନ୍ସିରେ ଏହି ଆଲେଚନା ଅନୁଷ୍ଠିତ ହେବ। କରୋନା ଭାଇରସ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବୈଠକ ହେବ । ଆଜି ଓ ଆସନ୍ତାକାଲି ଏହି ବୈଠକ ଅନୁଷ୍ଠିତ ହେବ । ଭିଡିଓ କନଫରେନସିଂ ଜରିଆରେ ଏହି ବୈଠକ ହେବାକୁ ଥିବା ବେଳେ କରୋନା ସଂକ୍ରମଣ ହାର ଓ ରାଜ୍ୟମାନଙ୍କର ଭୌଗଳିକ ଅବସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ୨ଟି ଭାଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିପାରନ୍ତି ବୋଲି ଜଣାପଡିଛି।
ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ହାରାହାରୀ ୫ ପ୍ରତିଶତ ଆକ୍ଟିଭ କେସ୍ ଥିବା ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ମୁଖ୍ୟ ଏବଂ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଥିବା ବେଳେ ବୁଧବାର ସଂକ୍ରମଣ ବଢୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା କରିବାକୁ ଥିବା ରାଜ୍ୟମାନେ କରୋନା ସଂକ୍ରମଣର ଦୋହରା ଶିକାର ହୋଇଛନ୍ତି। ଏଠାରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଥମିବା ପରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି।
ତେଣୁ ବୈଠକରେ ପ୍ରଧାନମନ୍ତ୍ରୀ ଜୁନ୍ ଶେଷ ସୁଧା ଟେଷ୍ଟିଂ ନମ୍ବର ବଢାଇବାକୁ ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନରେ ଡୋର ଟୁ ଡୋର ଟେଷ୍ଟିଂ ଲାଗି ମଧ୍ୟ କହିପାରନ୍ତି। ଦେଶରେ ସରକାର ଅନଲକ୍ ୧ ଆରମ୍ଭ କରିସାରିଛନ୍ତି। ଏଣୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ମଧ୍ୟ ଦିଆଯାଇପାରେ। ସେହିପରି ମୁଖ୍ୟମନ୍ତ୍ରୀମାନଙ୍କୁ କମନ ଷ୍ଟ୍ରାଟେଜି ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ମଧ୍ୟ ଲୋଡିପାରନ୍ତି। ଦେଶରେ ରିକୋଭରି ହାର ୫୦ ପ୍ରତିଶତରେ ପହଞ୍ଚିଥିବା ରବିବାର ସୂଚନା ମିଳିଛି। ତେବେ ହେଲଥ୍ ଇନ୍ଫ୍ରାଷ୍ଟ୍ରକ୍ଚର ଉପରେ ପଡୁଥିବା ବୋଝ ଏବେ ଚିନ୍ତାର କାରଣ ପାଲଟିଛି। ଏଣୁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ବଡ ନିଷ୍ପତ୍ତି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯେଉଁଥିରେ ଲକଡାଉନ୍ ସମ୍ପ୍ରସାରଣର ମଧ୍ୟ ଅନୁମାନ ରହିଛି।