ଭାରତ ସହ ବିବାଦ ପଡିଲା ଭାରି: ନିଜ ଜାଲରେ ନିଜେ ଫସିଲେ ପ୍ରଧାନମନ୍ତ୍ରୀ ଓଲି, ଆଜି କରି ପାରନ୍ତି ବଡ ଘୋଷଣା

Published By : Prameya-News7 Bureau | July 02, 2020 IST

ନୂଆଦିଲ୍ଲୀ ୦୨।୦୭: ଭାରତର ପଡୋଶୀ ଦେଶ ନେପାଳର ରାଜନୈତିକ ଘଟଣାକ୍ରମରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। କ୍ରମାଗତ ହେଉଥିବା ଇସ୍ତଫା ଦାବି ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ରାଷ୍ଟ୍ରପତିଙ୍କୁ  ଭେଟିଛନ୍ତି। ଏହା ପରେ ସେ ଜରୁରୀକାଳୀନ ବୈଠକ ଡକାଇଛନ୍ତି। ଏହି ବୈଠକରେ ନେପାଳ ସଂସଦର ଚଳିତ ଆର୍ଥିକ ବଜେଟ୍‌କୁ  ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ନେପାଳି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନିଜ ଦେଶର ଜନତାଙ୍କୁ ସମ୍ବୋଧିତ କରିବେ। କୁହାଯାଉଛି ଯେ, ନିଜର ସମ୍ବୋଧନରେ ସେ କିଛି ବଡ ଘୋଷଣା କରି ପାରନ୍ତି। କିନ୍ତୁ ଏତିକି ସ୍ପଷ୍ଟ ଯେ, ନିଜ ଜାଲରେ ନିଜେ ଫସିଛନ୍ତି ପ୍ରଧାନମନ୍ତ୍ରୀ ଓଲି।

ଭାରତ ବିରୋଧୀ ପଡିଲା ଭାରି

ଉଲ୍ଲେଖଯୋଗ୍ୟ, ଭାରତର ଅଞ୍ଚଳକୁ ନେଇ ନୂତନ ନକ୍ସା ଜାରି କରିବା ପରେ ନେପାଳର ରାଜନୈତିକ ସଙ୍କଟ ଆରମ୍ଭ ହୋଇ ଥିଲା। ନେପାଳ ସଂସଦରେ ମଧ୍ୟ ମାନଚିତ୍ର ସମ୍ବନ୍ଧିତ ବିଧେୟକ ଗୃହୀତ ହୋଇଥିଲା। ନେପାଳ ଉତ୍ତରାଖଣ୍ଡର ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜର ଅଞ୍ଚଳ ବୋଲି ଦର୍ଶାଇଥିଲା। ଏହି ମାନଚିତ୍ରକୁ ଭାରତରେ ତୀବ୍ର ବିରୋଧ କରାଯାଇଥିଲା। ତଥାପି ନେପାଳ ଭାରତର କଥାକୁ ତିଳେ ମାତ୍ର କର୍ଣ୍ଣପାତ କରିନଥିଲା ଏବଂ ନୂତନ ମାନଚିତ୍ର ଜାରି କରିଥିଲା। ଏହା  ପରେ ଅନେକ ସମୟରେ ଓଲି ଭାରତ ବିରୋଧୀ ବୟାନ ଦେଇଥିଲେ। ଭାରତରୁ ହିଁ ନେପାଳକୁ  ବିପଦଜ୍ଜନକ କରୋନା ଭୂତାଣୁ ଆସିଥିବା ସେ ଅଭିଯୋଗ କରିଥିଲେ। ଯାହାକୁ ଭାରତ ଦୃଢ ଶବ୍ଦରେ ଖଣ୍ଡନ କରିଥିଲା।

ପ୍ରଚଣ୍ଡ ସମ୍ଭାଳିଲେ ମୋର୍ଚ୍ଚା

ଏହା ସବୁ ମଧ୍ୟରେ ନେପାଳର ଚୀନ ପ୍ରତି ମୋହ ବଢିଚାଲିଲା ଏବଂ ଲଗାତାର ଚୀନ ଜାଲରେ ଫସି ଚାଲିଥିଲା। ଓଲିଙ୍କ ଭାରତ ବିରୋଧୀ ନୀତି ନେପାଳର ଅବସ୍ଥା ପାକିସ୍ତାନ ପରି ହୋଇପାରେ ବୋଲି ଦଳର ବରିଷ୍ଠ ନେତା ହୃଦବୋଧ କରିଥିଲେ। ଏହା ପରେ ଦଳରେ ଓଲିଙ୍କ ପ୍ରତି ରୋଷ ବଢିବାରେ ଲାଗିଥିଲା। ଅନ୍ୟପକ୍ଷେ ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ମଧ୍ୟ ସକ୍ରିୟ  ହେଲେ ଏବଂ ଓଲିଙ୍କ ଉପରେ ଜୋରଦାର ହମଲା କରି ଚାଲିଲେ। ପ୍ରଥମେ ଓଲିଙ୍କୁ ଏହା ସାବ୍ୟସ୍ତ କରିବାକୁ କହିଥିଲେ, ଭାରତ କିଭଳି ନେପାଳ ସରକାରକୁ ଅସ୍ଥିର କରୁଛି। ଓଲିଙ୍କ ଏମିତି ଟିପ୍ପଣୀ ଭାରତ ସହିତ ନେପାଳର ସଂପର୍କକୁ ବିଗାଡିପାରେ। କେବଳ ଏତିକି ନୁହେଁ ପ୍ରଚଣ୍ଡ ସ୍ପଷ୍ଟ ଶବ୍ଦରେ କହିଛନ୍ତି, ଭାରତ ନୁହେଁ ସେ ଇସ୍ତଫା ଚାହୁଁଛନ୍ତି।

ସୂଚନାଯୋଗ୍ୟ, ନେପାଳରେ ଦୁଇ କମ୍ୟୁନିଷ୍ଟ ପାର୍ଟି ମିଶି ସରକାର ଗଠନ କରିଥିଲେ। ଏଥିରେ ଗୋଟିଏ ଗୋଟିଏ କାର୍ଯ୍ୟକାଳ ହିସାବରେ ପ୍ରଧାନମନ୍ତ୍ରୀ  ପଦ ସମ୍ଭାଳିବା ପାଇଁ ସ୍ଥିର ହୋଇଥିଲା। ଏହା ମଧ୍ୟରେ ଦଳର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି।                                                                                              

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.