Covid ନିୟନ୍ତ୍ରଣ ଲାଗି ୩ ହାଇଟେକ୍ ଲ୍ୟାବ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ, କହିଲେ ମିଳିମିଶି କରିବା କରୋନା ମୁକାବିଲା

Published By : Prameya-News7 Bureau | July 27, 2020 IST

ନୂଆଦିଲ୍ଲୀ ୨୭।୭:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସନ୍ଧ୍ୟାରେ ଦେଶର ୩ ପ୍ରମୁଖ ସହରରେ ୩ଟି ନୂଆ ହାଇଟେକ୍‌ କୋଭିଡ ଟେଷ୍ଟିଂ ଲ୍ୟାବ ଉଦଘାଟନ କରିଛନ୍ତି। ନୋଏଡା, ମୁମ୍ବାଇ ଓ କୋଲକାତାରେ ଏହି ଲ୍ୟାବଗୁଡିକୁ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଉନ୍ମୋଚନ କରିଥିବା ବେଳେ ଏହି ସବୁ ପରୀକ୍ଷାଗାର କେବଳ କୋଭିଡ ନୁହେଁ ଅନ୍ୟ ବେମାରୀ ବିରୋଧରେ ସଂଗ୍ରାମ ଲାଗି ମଧ୍ୟ ଆମକୁ ସହାୟତା କରିବେ ବୋଲି କହିଛନ୍ତି।

ସାରା ଦେଶରେ କରୋନା ଭାଇରସ ଏବେ ବ୍ୟାପିବାର ଲାଗିଛି। ତେବେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବୈଜ୍ଞାନିକମାନେ କୋଭିଡ ଭେକ୍ସିନ ପ୍ରସ୍ତୁତିଲାଗି ଦିନରାତି କାମ କରୁଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ଏନସିଆର, କୋଲକାତା ଓ ମୁମ୍ବାଇ ଦେଶର ଆର୍ଥିକ ଗତିବିଧି କେନ୍ଦ୍ର। ଦେଶର ଲକ୍ଷଲକ୍ଷ ଯୁବକ ଏହି ସବୁ ସହରକୁ ସେମାନଙ୍କ ସ୍ୱପ୍ନ ପୁରା କରିବାକୁ ଆସନ୍ତି। ଏବେ ଏହି ୩ଟି ସହରରେ ଥିବା ପରୀକ୍ଷଣ କ୍ଷମତା ସହ ଆଉ ଦୈନିକ ୧୦ ହଜାର ପରୀକ୍ଷଣ କ୍ଷମତାର ପ୍ରୟୋଗଶାଳା ଏବେ ଯୋଡି ହୋଇଯାଇଛି।

ଏହି ସବୁ ପରୀକ୍ଷାଗାର ଯୋଗୁ କୋଭିଡ ପରୀକ୍ଷଣ ହାର ବୃଦ୍ଧି ହୋଇପାରିବ। ଏହାଛଡା ଏହି ସବୁ  ପ୍ରୟୋଗଶାଳାମାନଙ୍କରେ ହେପାଟାଇଟିସ୍, ଡେଙ୍ଗୁ, ମେଲେରିଆ ସମେତ ଅନ୍ୟ ରୋଗର ପରୀକ୍ଷଣ ସୁବିଧା ମଧ୍ୟ ମିଳିପାରିବ। ଏହି ସବୁ ଟେଷ୍ଟିଂ ଲ୍ୟାବ୍ ଯୋଗୁ ୟୁପି, ବେଙ୍ଗଲ ଓ ମହାରାଷ୍ଟ୍ରର ଲୋକେ ଅନେକ ଉପକୃତ ହେବେ।

ତେବେ ଆଗକୁ ଆସିବାକୁ ଥିବା ଉତ୍ସବ ଲାଗି ମୋଦି ଦେଶବାସୀଙ୍କୁ ସତର୍କ କରାଇଛନ୍ତି। ଏହି ସବୁ ଉତ୍ସବ ଲୋକଙ୍କ ଖୁସିର କାରଣ ହେଉ ତେବେ ଯେପରି ସଂକ୍ରମଣ ନ ବ୍ୟାପେ ସେଥିପ୍ରତି ଆମ ସମସ୍ତଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆମେ ସମସ୍ତେ ମିଳିମିସି ଦେଶରେ କରୋନାକୁ ପରାସ୍ତ କରିପାରିବା ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.