ଟୁଇଟ୍ କରି କେଜ୍ରିଓ୍ଵାଲ କହିଲେ- ଲକ୍‌ଡାଉନ୍‌ ବଢାଇବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି, କେନ୍ଦ୍ର କହିଲା ହୋଇନି ଚୂଡାନ୍ତ…

Published By : Prameya-News7 Bureau | April 11, 2020 IST

ନୂଆଦିଲ୍ଲୀ ୧୧।୦୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଲକ୍‌ଡାଉନ୍‌ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବୈଠକରେ ଅଧିକାଂଶ ମୁଖ୍ୟମନ୍ତ୍ରୀ କରୋନା ଭାଇରସ୍‌ର ବଢୁଥିବା ପ୍ରକୋପକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ ବଢାଇବାକୁ ଅପିଲ୍ କରିଛନ୍ତି। ଏହା ପରେ ଲକ୍‌ଡାଉନ୍‌ ବଢିବା ନିଶ୍ଚିତ ଲାଗୁଛି ଏବଂ କୌଣସି ବି ସମୟରେ ଏହାର ଘୋଷଣା ହୋଇପାରେ। ବୈଠକ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍‌ଡାଉନ୍‌ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଉପରେ କେନ୍ଦ୍ର ସରକାର ସ୍ପଷ୍ଟୀକରଣ ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ବୈଠକ ପରେ କେଜ୍ରିଓ୍ଵାଲ ଟୁଇଟ୍‌ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ବଢାଇବା ନେଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ଆଜି ଯଦି ସମସ୍ତ ବିକଶିତ ଦେଶ ତୂଳନାରେ ଭାରତର ସ୍ଥିତି  ଉନ୍ନତ ରହିଛି ତେବେ ଏହାର କାରଣ ଆମେ ପୂର୍ବରୁ ଲକ୍‌ଡାଉନ୍‌ କରି ଦେଲୁ। ଯଦି ଲକ୍‌ଡାଉନ୍‌କୁ ଏବେ ହଟାଇ ଦେବା ତେବେ ପୂର୍ବରୁ  ନେଇଥିବା ସମସ୍ତ ପଦକ୍ଷେପ ଏବଂ ମିଳିଥିବା ସବୁ ଫାଇଦା ଶେଷ ହୋଇଯିବ। ଏଥିପାଇଁ ଲକ୍‌ଡାଉନ୍‌ ବଢାଇବା ମହତ୍ଵପୂର୍ଣ୍ଣ।

wp:core-embed/twitter {"url":"https://twitter.com/ArvindKejriwal/status/1248912739679924225?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Findia%2Fcoronavirus-in-india-delhi-cm-arvind-kejriwal-confirms-that-pm-modi-has-extended-lockdown%2Farticleshow%2F75095637.cms","type":"rich","providerNameSlug":"twitter","className":""}
https://twitter.com/ArvindKejriwal/status/1248912739679924225?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Findia%2Fcoronavirus-in-india-delhi-cm-arvind-kejriwal-confirms-that-pm-modi-has-extended-lockdown%2Farticleshow%2F75095637.cms
/wp:core-embed/twitter

କେଜ୍ରିଓ୍ଵାଲଙ୍କ ଏହି ଟୁଇଟ୍‌ ପରେ ପରେ ଭାରତ ସରକାରଙ୍କ ପ୍ରଧାନ ମୁଖପାତ୍ର ତଥା କେନ୍ଦ୍ର ସରକାରଙ୍କ ପ୍ରେସ୍ ସୂଚନା ବିଭାଗର ପ୍ରଧାନ ମହାନିର୍ଦ୍ଦେଶକ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲକ୍‌ଡାଉନ୍‌ ବଢାଇବା ନେଇ କରିଥିବା ଅନୁରୋଧ ଉପରେ ବିଚାର କରୁଛନ୍ତି। ଏନେଇ  ଚୂଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି।

ଭିଡିଓ କନଫରେନ୍ସ ମାଧ୍ୟମରେ ଆୟୋଜିତ ବୈଠକରେ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ଅବଧି ୨ ସପ୍ତାହ ବଢାଇବାକୁ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ଏହା ଉପରେ ବିଚାର କରୁଥିବା ସେ କହିଛନ୍ତି।

ଡବ୍ଲ୍ୟୁଏଚଓ ମଧ୍ୟ ସରକାରଙ୍କୁ ଚେତାଇ ଦେଇଛି ଯେ, ଲକ୍‌ଡାଉନ୍‌ ତୁରନ୍ତ ଉଠାନ୍ତୁ ନାହିଁ। ନଚେତ୍ କରୋନା ସଂକ୍ରମଣ କ୍ଷୀପ୍ର ଗତିରେ ବ୍ୟାପିବ। ପ୍ରଧାନମନ୍ତ୍ରୀଙ୍କ ସହିତ ଆଜି ମୁଖ୍ୟମନ୍ତ୍ରୀଙ୍କ ବୈଠକରେ କରୋନା ଭାଇରସ୍ ସ୍ଥିତି ଉପରେ ଆଲୋଚନା ହେବା ସହିତ ଲକ୍‌ଡାଉନ୍‌ ହଟିବା ଏବଂ ବୃଦ୍ଧି ନେଇ ଆଲୋଚନା ହୋଇଛି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ହୋଇଥିବା ସର୍ବଦଳୀୟ  ବୈଠକରେ ଲକ୍‌ଡାଉନ୍‌ ବଢାଇବା ନେଇ ସଙ୍କେତ ଦେଇ ଦେଇଥିଲେ।। ସଂପ୍ରତି ଲକ୍‌ଡାଉନ୍‌ ଏକା ସଙ୍ଗେ ହଟାଇବା ସମ୍ଭବ ନୁହଁ ବୋଲି କହିଥିଲେ।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମଧ୍ୟ ଦେଶବ୍ୟାପୀ ଲକ୍‌ଡାଉନ୍‌ ବଢାଇବାକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ଓଡିଶା ଓ ପଞ୍ଜାବ ସରକାର ରାଜ୍ୟରେ ଲକଡାଉନ୍‌ ଅବଧି ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.