ବିଜେପିକୁ କଂଗ୍ରେସର ପ୍ରତି ଜବାବ: ଅନେକ ଚୀନ କମ୍ପାନୀ ପିଏମ କେୟାର୍ସ ଫଣ୍ଡରେ ଦେଇଛନ୍ତି କୋଟି କୋଟି ଟଙ୍କା

Published By : Prameya-News7 Bureau | June 28, 2020 IST

ନୂଆଦିଲ୍ଲୀ ୨୮।୦୬: ଭାରତ-ଚୀନ ସୀମାରେ ଜାରି ବିବାଦ ମଧ୍ୟରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ୍‌ଯୁଦ୍ଧ ଚରମରେ ପହଞ୍ଚିଛି। ଦୁଇ ପାର୍ଟି ମଧ୍ୟରେ ଆରୋପ ପ୍ରତ୍ୟାରୋପର ନୂତନ ଅଧ୍ୟାୟ ଆରମ୍ଭ ହୋଇ ଯାଇଛି। ସର୍ବ ପ୍ରଥମେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଠାଯାଇଥିବା ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗକୁ ନେଇ ତାତ୍ସଲ୍ୟ କରିଛନ୍ତି। ଏହା ପରେ ଗୃହ ମନ୍ତ୍ରୀ ଅମିତ୍ ଶାହା ପ୍ରତି  ଜବାବ ଦେଇ କହିଥିଲେ ଯେ, ଭାରତ-ଚୀନ ବିବାଦରେ ରାହୁଲ  ତୁଚ୍ଛ ରାଜନୀତି କରୁଛନ୍ତି। ତାଙ୍କର ଟ୍ଵିଟ୍‌କୁ ପାକିସ୍ତାନ ଓ ଚୀନ୍‌ରେ ପ୍ରୋତ୍ସାହନ ମିଳୁଛି।

ଏହା ପରେ ଏବେ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଙ୍ଘଭି ବିଜେପି ଉପରେ ଶାଣିତ ସ୍ଵରରେ ହମଲା କରିଛନ୍ତି। ସେ ଆରୋପ ଲଗାଇଛନ୍ତି ଯେ, ପିଏମ କେୟାର୍ସ ଫଣ୍ଡରେ ଚାଇନା କମ୍ପାନୀରୁ ଅର୍ଥ ମିଳିଛି। ସେ ଏହା ମଧ୍ୟ କହିଛନ୍ତି, ଅନେକ ବର୍ଷ ଧରି ବିଜେପି ସଭାପତି ଚୀନ ଗସ୍ତ କରିଛନ୍ତି। ସଭାପତି କ୍ଷମତାସୀନ କମ୍ୟୁନିଷ୍ଟ ପାର୍ଟି ସହିତ ଆଲୋଚନା ମଧ୍ୟ କରିଛନ୍ତି।

ସେ କହିଛନ୍ତି, ଦେଶର କୌଣସି ବି ରାଜନୈତିକ ଦଳର ସଭାପତି ବିଜେପି ସଭାପତିଙ୍କ ପରି ଚୀନ କମ୍ୟୁନିଷ୍ଟ ପାର୍ଟି ସହିତ ଆଲୋଚନା କରି ନାହାନ୍ତି। ଯେପରି ରାଜନାଥ ସିଂହଙ୍କଠୁ ନେଇ ନୀତିନ ଗଡକରୀ ଏବଂ ଅମିତ୍ ଶାହାଙ୍କ ପର୍ଯ୍ୟନ୍ତ। ସିଙ୍ଘଭି କହିଛନ୍ତି ବିଜେପି ଓ ସିସିପି ମଧ୍ୟରେ ବାରମ୍ଵାର ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ହୋଇଛି।

ଶନିବାର ବିଜେପି କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନେତୃତ୍ଵାଧୀନ ରାଜୀବ ଗାନ୍ଧୀ ଫାଉଣ୍ଡେସନ ଉପରେ ଅନେକ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ନେତୃତ୍ଵାଧୀନ ୟୁପିଏ ସରକାର କାର୍ଯ୍ୟକାଳରେ ୨୦୦୫ ରୁ ୨୦୦୯ ମଧ୍ୟରେ ଚୀନଠୁ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଅର୍ଥ ମିଳିଥିଲା। ସିଙ୍ଘଭି କହିଛନ୍ତି ଯେ, ବିଜେପି ଏଲଏସିରେ ଚୀନ ସହ ଜାରି ବିବାଦରେ ନିଜର ବିଫଳତାକୁ ଲୁଚାଇବା ପାଇଁ ଜାଣିଶୁଣି ରାଜୀ ଗାନ୍ଧୀ ଫାଉଣ୍ଡେସନ ଉପରେ ଅଯଥା ଆରୋପ ଲଗାଉଛି।

ସିଙ୍ଘଭି କହିଛନ୍ତି ଯେ, ଚୀନ ବିବାଦ ପ୍ରସଙ୍ଗରେ ପ୍ରଶ୍ନ କଲେ ସରକାର କୌଣସି ସ୍ପଷ୍ଟ ଉତ୍ତର ନଦେଇ ଅଣଦେଖା କରୁଛନ୍ତି। ଗତ କିଛି ଦିନରେ ଆମେ ଆପଣଙ୍କୁ ନକ୍ସା, ସ୍ଥାନ, ଉପଗ୍ରହ ଫଟୋ ଆଦି ଦେଲୁ, କିନ୍ତୁ ଉତ୍ତରରେ କେବଳ ରାଜୀବ ଗାନ୍ଧୀଙ୍କ ଆସୁଛି।

ଏହା ସହିତ ସେ କରୋନା ମୁକାବିଲା ଲାଗି  ନିକଟରେ ଗଠିତ ପିଏମ କେୟାର୍ସ ଫଣ୍ଡରେ ଦାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଉଦଘାଟିତ ହୋଇଥିଲା। ଏହି ପାଣ୍ଠିରେ ୭ କୋଟି ଟଙ୍କା ଚୀନର ହୁଏଇରୁ ଆସିଛି। ସମସ୍ତେ ଜାଣିଛନ୍ତି ଯେ, ହୁଏଇ ପିପୁଲ୍ସ ଲିବେରେସନ ଆର୍ମିର କେନ୍ଦ୍ର। କେବଳ ଏତିକି ନୁହେଁ ଚୀନ କମ୍ପାନୀ ଟିକ୍‌ଟକ୍‌ରୁ ମଧ୍ୟ ପିଏମ କେୟାର୍ସ ଫଣ୍ଡରେ ୩୦ କୋଟି ଟଙ୍କା ଆସିଛି। ୩୮ ପ୍ରତିଶତ ଭାଗିଦାରୀ ନିୟନ୍ତ୍ରିତ ପେଟିଏମରୁ ମଧ୍ୟ ପାଣ୍ଠିକୁ ଅର୍ଥ ଆସିଛି ବୋଲି ସିଙ୍ଘଭି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଆଜି ଅମିତ୍ ଶାହା କହିଥିଲେ ଯେ ରାହୁଲ ତୁଚ୍ଛ ରାଜନୀତି କରୁଛନ୍ତି। ଚୀନ ଓ ପାକିସ୍ତାନ ରାହୁଲଙ୍କ ବୟାନରେ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆମକୁ ଆଲୋଚନାକୁ ଭୟ କରୁନି। ରାହୁଲଙ୍କୁ ଯାହା କିଛି କହିବାର ଅଛି ସଂସଦରେ ଆସି ନିଜର କଥା ରଖନ୍ତୁ। ଏହି ସମୟରେ ଯବାନ ଚୀନର ସାମ୍ନା କରୁଛନ୍ତି। ତେଣୁ ରାହୁଲଙ୍କୁ ଏପରି ବୟାନ ଦେବା ଉଚିତ୍ ନୁହେଁ ବୋଲି ଅମିତ୍ ଶାହା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.