ଏପ୍ରିଲ ୨୭ରେ ପ୍ରଧାମନ୍ତ୍ରୀଙ୍କ ତୃତୀୟ କରୋନା ବୈଠକ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ହେବ ଲକଡାଉନ୍ ନେଇ ଆଲୋଚନା

Published By : Prameya-News7 Bureau | April 22, 2020 IST

ନୂଆଦିଲ୍ଲୀ ୨୨।୪: ଦେଶରେ  କରୋନା ଭାଇରସ ପ୍ରକୋପ ଓ ଲକଡାଉନର ସ୍ଥିତି ନେଇ ଏପ୍ରିଲ ୨୭ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ।  କରୋନା ପରିସ୍ଥିତି ଉପୁଜିବା ପରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କର ଏହା ତୃତୀୟ ବୈଠକ ହୋଇଥିବା ବେଳେ ଲକଡାଉନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଭିଡିଓ କନଫରେନସିଂରେ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କ ଠାରୁ ପ୍ରଧାନମନ୍ତ୍ରୀ ଫିଡବ୍ୟାକ୍ ମଧ୍ୟ ନେବେ। ଏହି ଫିଡବ୍ୟାକ୍ ଆଧାରରେ କେନ୍ଦ୍ର ସରକାର ଦେଶଲାଗି ଆଗାମୀ ରଣନୀତି ପ୍ରସ୍ତୁତ କରିବେ। ଏହା ପୂର୍ବରୁ ଗତ ଏପ୍ରିଲ ୧୪ ତାରିଖରେ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ମେ ୩ ତାରିଖ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏଥିଲାଗି ଏପ୍ରିଲ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲେ।

ମୁଖ୍ୟମନ୍ତ୍ରୀମାନଙ୍କ ଦ୍ୱିତୀୟ ବୈଠକରେ ଅଧିକାଂଶ ରାଜ୍ୟ ଲକଡାଉନ ସମ୍ପ୍ରସାରଣ ସପକ୍ଷରେ ଥିଲେ। ଏଥିଲାଗି ସେମାନଙ୍କ ସହମତି ମଧ୍ୟ ଦେଇଥିଲେ। ଏହା ପୂର୍ବରୁ ଏପ୍ରିଲ ୨ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା ବେଳେ ଲକଡାଉନ୍, ଭାଇରସ୍ ସଂକ୍ରମଣକୁ ନେଇ ସଂକଟ ଓ ସେତେବେଳର ପରିସ୍ଥିତି ସମୀକ୍ଷା କରିଥିଲେ। ଏଣୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ତୃତୀୟଥର ବୈଠକରେ ମଧ୍ୟ ଏ ନେଇ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି।

ଦେଶରେ ଲକଡାଉନ୍ ଜାରି ରହିଥିଲେ ବି ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି। ଏବେ ସାରା ଦେଶରେ ୨୦ ହଜାର ୭୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୫୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ୫୦ ଜଣ ପ୍ରାଣ ହରାଇଛନ୍ତି। ପରିସ୍ଥିତି ଜଟିଳ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏବେ ଆକ୍ସନ ମୁଡରେ ଅଛନ୍ତି। ଏଣୁ ନିୟମିତ ମନ୍ତ୍ରୀମାନଙ୍କ ସହ କଥାବାର୍ତ୍ତା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.