ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ରୋକିବାକୁ ସବୁ ଜିଲ୍ଲାରେ ସରକାର ଖୋଲିବେ କଲ୍ ସେଣ୍ଟର
26/10/2019 at 9:46 PM

ନୂଆଦିଲ୍ଲୀ ୨୬। ୧୦ – ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ରୋକିବାକୁ ସବୁ ଜିଲ୍ଲାରେ ସରକାର ଖୋଲିବେ କଲ୍ ସେଣ୍ଟର । ଏହିଯୋଜନାରେ ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିବା ପରେ ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି ବୋଲି କୁହାଯାଉଛି । ବିଶେଷକରି ଫୋନି ବାତ୍ୟା ପରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିପୋର୍ଟରେ ବ୍ୟାପକ ହେରଫେରକୁ ବିରୋଧି ଓ ଗଣମାଧ୍ୟମ ଦୃଷ୍ଟିକୁ ଆଣିବା ପରେ ବ୍ୟବସ୍ଥାରେ ସ୍ବଛତା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଆଦି ଯୋଜନାରେ ସ୍ବଛତା ପାଇଁ ସରକାରୀ ତତ୍ପରତା । ସବୁ ଜିଲ୍ଲାରେ କଲ୍ ସେଣ୍ଟର ଖୋଲି ଏହି ବ୍ୟବସ୍ଥା ଅନୁଯାୟୀ ଘର ବଣ୍ଟାରେ ହେଉଥିବା ଦୁର୍ନୀତିକୁ ରୋକିବେ ସରକାର । ଏଥିପାଇଁ ପଞ୍ଚାୟତି ରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସବୁ ଜିଲ୍ଲାର ପିଡିଡିଆରଡିଏ ମାନଙ୍କୁ ଚିଠି ଲେଖିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଲେଖିଛନ୍ତି ଯେ ସରକାରଙ୍କ ୫ ଟି କାର୍ଯ୍ୟକ୍ରମ ଜରିଆରେ ଘର ଆବଣ୍ଟନରେ କିଭଳି ସ୍ବଚ୍ଛତା ଆସିବ ସେଥିପାଇଁ କଲ୍ ସେଣ୍ଟର ଖୋଲାଯିବ । ପ୍ରତିଦିନ କଲ୍ ସେଣ୍ଟରରୁ ୫୦ ଜଣ ହିତାଧିକାରୀଙ୍କ ପାଖକୁ କଲ୍ କରି ତଥ୍ୟ ସଂଗ୍ରହ କରାଯିବ । ହିତାଧିକାରୀ ମାନେ ଠିକ୍ ସମୟରେ ଘର ପାଉଛନ୍ତି ନା ନାହିଁ , ଯଦି ଘର ପାଇଁ ନାଁ ତାଲିକାଭୁକ୍ତ ହୋଇଛି ସେଥିପାଇଁ ଠିକ୍ ସମୟରେ ଅର୍ଥ ମିଳୁଛି ନା ନାହିଁ , ଘର ପାଇଁ ମଞ୍ଜୁର ଟଙ୍କାରୁ କେହି ହଡପ କରୁ ନାହାଁନ୍ତି ତ, ଏଭଳି ପ୍ରଶ୍ନ ପଚାରି କଲ୍ ସେଣ୍ଟର କର୍ମଚାରୀ ତଥ୍ୟ ସଂଗ୍ରହ କରି ସରକାରଙ୍କୁ ଦେବେ । ସେହି ତଥ୍ୟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ କରିବେ ।
ଫୋନି ବାତ୍ୟାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନିତି ଅଭିଯୋଗ ଆସିଥିଲା । ବିରୋଧି ପୁଳାପୁଳା ଉଦାହରଣ ଓ ତଥ୍ୟ ଦେଇ ସରକାରଙ୍କ ସ୍ବଚ୍ଛତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିଲେ। କେତେବେଳେ ଶାସକ ଦଳର ସରପଞ୍ଚ, ନୋମିନି, ବ୍ଲକ ଅଧ୍ୟକ୍ଷଙ୍କ ସଂପର୍କିୟ ତ ଆଉକେତେବେଳେ ବିଜେଡି କର୍ମୀ ଯେଉଁମାନଙ୍କର ଦୁଇମହଲା, ତିନି ମହଲା କୋଠା ଅଛି ସେମାନେ ଏହି ଯୋଜନାରେ ଘର ହାତେଇନେଇଥିବା ରିପୋର୍ଟ ସାମ୍ନାକୁ ଆସିଥିଲା । ଫୋନିବାତ୍ୟାରେ ପ୍ରଭାବିତ ୧୪ ଜିଲ୍ଲାର ୧୨ଲକ୍ଷ ୭୫ ହଜାର ପରିବାରକୁ ଚିହ୍ନଟ କରି ରାଜ୍ୟସରକାର କେନ୍ଦ୍ରକୁ ଯେଉଁ ତାଲିକା ଦେଇଥିଲେ ସେଥିରେ ଏଭଳି ଦୁର୍ନୀତି ଧରାପଡିଥିଲା । ବିରୋଧି କହିଛନ୍ତି ଏହା କେବଳ ଲୋକ ଦେଖାଣିଆ । ଏଥିରେ ଦୁର୍ନୀତି ବନ୍ଦ ହେବାରେ ନାହିଁ ।
ଫୋନି ବାତ୍ୟା ପ୍ରଭାବିତ ୧୪ ଜିଲ୍ଲାକୁ ଛାଡି ବାକି ଜିଲ୍ଲାରେ ୧୦ ଲକ୍ଷ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ପାଇଁ ରାଜ୍ୟ ସରକାର ଚିହ୍ନଟ କରିଛନ୍ଚି । ସେହି ତାଲିକା କିନ୍ତୁ କେନ୍ଦ୍ର ସରକାରଙ୍କ ଆପ୍ ରେ ଅପଲୋଡ୍ କରିପାରୁ ନାହାଁନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା ବ୍ୟାପକ ହରିଲୁଟ ଅଭିଯୋଗ ଜାଣି କେନ୍ଦ୍ର ସରକାର ତାଙ୍କ ଆପ୍ କୁ ବ୍ଲକ କରି ରଖିଛନ୍ତି ବୋଲି କୁହାଯାଉଛି ।…