ରାମଲିଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଲାଗି ସମ୍ବର୍ଦ୍ଧନା ସଭା, ଜାଣନ୍ତୁ CAA ନେଇ ଦେଶବାସୀ ଓ ବିରୋଧୀ ଦଳଙ୍କୁ କ’ଣ କହିଲେ ମୋଦି
22/12/2019 at 3:39 PM

ନୂଆଦିଲ୍ଲୀ ୨୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀ ରାମଲିଳା ମୈଦାନରେ ବିଶାଳ ଜନସମାବେଶକୁ ସମ୍ବୋଧିତ କରି ନାଗରିକତା (ସଂଶୋଧିତ) ଆଇନ (ସିଏଏ) ନେଇ ଦେଶବାସୀଙ୍କୁ ସଚେତନ କରିଛନ୍ତି। ଆଇନ ଯୋଗୁ କୌଣସି ଜଣେବି ନୂଆ ଶରଣାର୍ଥୀ ଉପକୃତ ହୋଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଶ୍ୱସ୍ତ କରିଛନ୍ତି। ସେହିଭଳି ମାଟିର ମୁସଲମାନଙ୍କୁ ସିଏଏ କି ଏନଆରସି ଯୋଗୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଆଇନକୁ ନ ବୁଝି ବିରୋଧୀଙ୍କ ଅପପ୍ରଚାରରେ ନପଡିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି।
ସିଏଏ ଯୋଗୁ ଦେଶର ମୁସଲମାନଙ୍କୁ କୌଣସି ପ୍ରକାର ଅସୁବିଧା ନାହିଁ। ଯଦି ଏବେବି ବୁଝିପାରୁନାହାନ୍ତି ତେବେ ଭାରତ ମାଟିର ସୁଲମାନ ଏହା ଦ୍ୱାରା କୌଣସି ପ୍ରକାର ପ୍ରଭାବିତ ହେବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ଦୋହରାଇଛନ୍ତି। ତେବେ ସିଏଏର ଲାଭ କେବଳ ସେହିମାନଙ୍କୁ ମିଳିବ ଯେଉଁମାନେ ଦୀର୍ଘ ବର୍ଷରୁ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣ ନେଇଛନ୍ତି। ତେବେ ବିରୋଧୀ ଦଳ ଦେଶବାସୀଙ୍କୁ ଆଇନ ନେଇ ଭ୍ରମିତ କରିବା ସହ ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରୁଥିବା କହିଛନ୍ତି।
ବିରୋଧୀଦଳମାନେ ଦେଶକୁ ଡରାଇବାକୁ ଉଦ୍ୟମ କରୁଛନ୍ତି ଯେଉଁମାନେ ନିଜେ ନିଜର ରାଜନୈତିକ କ୍ୟାରିୟରକୁ ନେଇ ଏବେ ଆଶଙ୍କିତ ଅଛନ୍ତି। ଏହିଭଳି ଲୋକେ ସୋସାଲ ମିଡିଆର ଦୂରୁପଯୋଗ କରି ଲୋକଙ୍କୁ ପ୍ରଶାସନ ସହ ଲଢେଇବା ସହ ଦେଶର ସମ୍ପତ୍ତି ନଷ୍ଟ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ। ଗତ ୧ ସପ୍ତାହ ହେଲା ଦେଶର କିଛି ଅଂଶରେ କିଭଳି ପରିସ୍ଥିତି ରହିଛି ଓ ଏହା ଯୋଗୁ କେଉଁମାନେ ପ୍ରଭାବିତ ହୋଇଛନ୍ତି ତାହା ଲୋକେ ନିଜେ ଅନୁଶୀଳନ କରିଦେଖନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
କେନ୍ଦ୍ର ସରକାର ୧ହଜାର ୭୩୧ ଅନଧିକୃତ କଲୋନୀରେ ଲୋକଙ୍କୁ ସେମାନଙ୍କ ମାଲିକାନା ପ୍ରଦାନ ଲାଗି ନିଷ୍ପତ୍ତି ନେଇଛନ୍ତି। ଏଥିଲାଗି ରାମଲିଳା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ ଲାଗି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ୧୧ଲକ୍ଷଙ୍କ ସ୍ୱାକ୍ଷର ଥିବା ପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।