ବିଷୟ ପରିବର୍ତନକୁ ନେଇ କୋଣାର୍କ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀଙ୍କ ଆନ୍ଦୋଳନ
7/11/2019 at 6:51 PM

କୋଣାର୍କ୭|୧୧: କାଉନ୍ସିଲରେ ବିଷୟବସ୍ତୁ ପରିବର୍ତନକୁ ନେଇ କୋଣାର୍କ ମହିଳା ମହାବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ ଛାତ୍ରୀମାନେ ପ୍ରିନ୍ସିପାଲଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି ।

କୋଣାର୍କ ବାଳିକା ମହାବିଦ୍ୟଳୟରେ ନାମଲେଖା ବେଳେ ଛାତ୍ରୀମାନେ ନିଜ ଇଛାନୁସାରେ ବିଷୟବସ୍ତୁ ଚୟନ କରି ଫର୍ମ ପୂରଣ କରିଥିଲେ । ସେହି ଅନୁସାରେ କ୍ଲାସ କରିବା ସହ ଟେଷ୍ଟ ପରୀକ୍ଷା ମଧ୍ୟ ଦେଇଥିଲେ l କିନ୍ତୁ ବିଡମ୍ବନାର ବିଷୟ ଫାଇନାଲ ପରୀକ୍ଷା ଫର୍ମ ପୂରଣ ବେଳକୁ ପ୍ରାୟ ଅଧା ପିଲାଙ୍କ ପରିବର୍ତନ ହୋଇଯାଇଛି ବିଷୟ ।ଯୁକ୍ତ ଦୁଇ ପରିଷଦ ଏଭଳି କରିଥିବା କୁହାଯାଉଛି । ଏହାର ପ୍ରତିବାଦରେ କଲେଜରେ ଆନ୍ଦୋଳନ କରିଛନ୍ତି ଯୁକ୍ତ ଦୁଇ ଛାତ୍ରୀମାନେ l

ସୂଚନା ଅନୁସାରେ କୋଣାର୍କ ମହିଳା କଲେଜରେ ଯୁକ୍ତ୨ରେ ୧୦୯ଜଣ ଛାତ୍ରୀ ଅଛନ୍ତି । କିନ୍ତୁ ଏଥିରୁ ପ୍ରାୟ ଅଧାରୁ ଅଧିକ ପିଲାଙ୍କ ମୂଳରୁ ଚୟନ କରିଥିବା ବିଷୟ ବସ୍ତୁ ପରିବର୍ତ୍ତନ ହୋଇଯାଇଛି । କାହାର ରାଜନୀତି ବିଜ୍ଞାନ ପରିବର୍ତନ ହୋଇ ଅର୍ଥନୀତି ହୋଇଥିଲାବେଳେ ଆଉ କାହାର ଇତିହାସ ଯାଗାରେ ସାଇକୋଲୋଜି ହୋଇଯାଇଛି l

ପରୀକ୍ଷା ଆଉ ଅଳ୍ପଦିନ ରହିଲା ।ତେଣୁ ଏବେ ବିଷୟ ପରିବର୍ତ୍ତନ ହେଲେ ପିଲାମାନେ ହଇରାଣ ହେବା ହିଁ ସାର ହେବ । ତେଣୁ ମୂଳରୁ ଛାତ୍ରୀମାନେ ଯେଉଁ ବିଷୟ ଚୟନ କରିଥିଲେ ସେଥିରେ ପରୀକ୍ଷା ଦେବାକୁ ଅନୁମତି ଲାଗି ଆଜି ଛାତ୍ରୀମାନେ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ।

ଅପରପକ୍ଷରେ ଭୁଲ କଲେଜରୁ ନୁହେଁ ବରଂ କାଉଁସିଲ ସ୍ତରରୁ ହୋଇଛି ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି । ତେବେ ଯାହାର ବି ଭୁଲ ହେଉ ଏହା ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ନିଶ୍ଚୟ ।
