ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବର ୧ତାରିଖରୁ ଫର୍ମ ପୂରଣ
25/10/2019 at 5:00 PM

ଭୁବନେଶ୍ବର ୨୫|୧୦: ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଅର୍ଥାତ୍ ହାୟର ସେକେଣ୍ଡାରୀ ସ୍କୁଲର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ପାଇଁ ନଭେମ୍ବର ୧ ତାରିଖରୁ ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି ।
ଆସନ୍ତା ୧ରୁ ୯ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ବିନା ଜରିମନାରେ ଫର୍ମ ପୂରଣ କରିବେ । ୨ ତାରିଖରୁ ୧୧ ତାରିଖ ଯାଏ ଫି’ ଦାଖଲ କରିବେ । ସେହିପରି ୧୧ ତାରିଖରୁ ୧୬ ତାରିଖ ଯାଏଁ ଫର୍ମ ପୂରଣ କଲେ ୫୦ ଟଙ୍କା ଜରିମନା ଦେବାକୁ ପଡିବ । ଛାତ୍ରଛାତ୍ରୀମାନେ ୧୩ରୁ ୧୮ ତାରିଖ ଭିତରେ ଏହାର ଫି’ ଦାଖଲ କରିବେ । ଏହାପରେ ବିଳମ୍ବରେ ଅର୍ଥାତ୍ ୧୮ରୁ ୨୦ ତାରିଖ ଭିତରେ ଫର୍ମପୂରଣ କଲେ, ଛାତ୍ରଛାତ୍ରୀମାନେ ୩୫୦ ଟଙ୍କା ଜରିମନା ଦେବେ । ଏହାର ଫି’ ୧୯ରୁ ୨୧ ତାରିଖ ଭିତରେ ଦାଖଲ କରିବେ ।
ସମସ୍ତ ଛାତ୍ରଛାତ୍ରୀମାନେ ୨୨ ତାରିଖରୁ ଡିସେମ୍ବର ୨ ତାରିଖ ଯାଏ ଇ-ରିସିପ୍ଟକୁ ଦାଖଲ କରିବେ । ଏହି ତାରିଖ ପରେ କୌଣସି ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ନାହିଁ । ତେବେ ଫର୍ମ ପୂରଣ ଫି’ ୫୨୦ ଟଙ୍କା ରଖାଯାଇଥିବାବେଳେ ପ୍ରାକ୍ଟିକାଲ୍ ପରୀକ୍ଷା ପାଇଁ ଫି’ ୪୦ ଟଙ୍କା ରହିଛି । ପରୀକ୍ଷା କେନ୍ଦ୍ର ବଦଳିଲେ ଛାତ୍ରଛାତ୍ରୀଙ୍କୁ ଅଧିକ ୫ଶହ ଟଙ୍କା ଦେବାକୁ ପଡିବ ।
ଆଡମିଟ୍ କାର୍ଡ ସାମ୍ସ ଓଡ଼ିଶା ୱେବସାଇଟ୍ରେ ଉପଲବ୍ଧ ହେବ । ପ୍ରତି କଲେଜର ଅଧ୍ୟକ୍ଷ ୱେବସାଇଟ୍ରୁ ନିଜ ପିଲାଙ୍କ ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିବେ । ଏହା ପରେ କାର୍ଡରେ ଦସ୍ତଖତ କରି ପିଲାଙ୍କୁ ଦେବେ ।