ଆଜିଠୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ
3/07/2019 at 9:05 AM

ଭୁବନେଶ୍ବର ୩|୭: ଆଜିଠୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହେବ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଆଜିଠାରୁ କଳା, ବିଜ୍ଞାନ ଓ ବାଣିଜ୍ୟରେ ନାମ ଲେଖା ହେବ । ୬ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ଚାଲିବ । ଏହାପରେ ଜୁଲାଇ ୧୨ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଏଥିପାଇଁ ଜୁଲାଇ ୧୨ରୁ ୧୬ ମଧ୍ୟରେ ନାମଲେଖା ହେବ ।
୨୦୧୯-୨୦ ଶିକ୍ଷାବର୍ଷ ପାଇଁ ୩ଲକ୍ଷ ୭୫ହଜାର ୯୫୮ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୩ଲକ୍ଷ ୩୩ହଜାର ୫୭୩ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ନାମଲେଖା ଲାଗି ଚୟନ କରାଯାଇଛି । କଳାରେ ୨ଲକ୍ଷ ୧୯ହଜାର ୧୦ଜଣ ,ବିଜ୍ଞାନରେ ୮୧ ହଜାର ୧୯୭ଜଣ, ବାଣିଜ୍ୟରେ ୨୨ହଜାର ୩୭୫ଜଣ, ସଂସ୍କୃତରେ ୬ହଜାର ୩୧୯ଜଣ, ଧନ୍ଦାମୂଳକ ଶିକ୍ଷାରେ ୪ହଜାର ୬୯୦ଜଣ ପ୍ରଥମ ପର୍ଯ୍ୟାୟରେ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି । ଗତକାଲି ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିଲା ।
ଗତବର୍ଷ ତୁଳନାରେ ଚଳିତ ବର୍ଷ କଳାରେ କଟ୍ ଅଫ୍ ମାର୍କ ପ୍ରାୟ ୨ପ୍ରତିଶତ କମିଛି । ତେବେ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାମାନ୍ୟ ବଢ଼ିଛି। କଳାରେ ୭୧ଦଶମିକ ୧୭ ପ୍ରତିଶତ ସହ ବିଜେବି ଆଗରେ ରହିଥିବାବେଳେ ୭୦ଦଶମିକ ୧୭ ପ୍ରତିଶତ କଟଅଫ୍ ମାର୍କ ସହ ରେଭେନ୍ସା ଜୁନିୟର ଦ୍ୱିତୀୟ ସ୍ଥାନରେ ରହିଛି ।
ତେବେ ବିଜ୍ଞାନରେ ରେଭେନ୍ସା ବିଜେବିକୁ ପଛରେ ପକାଇ ଏକ ନମ୍ବରରେ ହୋଇଛି । ରେଭେନ୍ସାର କଟଅପ୍ ମାର୍କ ୯୦ ପ୍ରତିଶତ ରହିଥିବାବେଳେ ବିଜେବିର ୮୮ଦଶମିକ୍ ୬୭ ପ୍ରତିଶତ ରହିଛି । ଏବଂ ବାଣିଜ୍ୟରେ ୮୦.୬ ପ୍ରତିଶତ ସହ ଗୋପାଳପୁର କଲେଜ ଶୀର୍ଷରେ ରହିଛି । ଆସନ୍ତା ଜୁଲାଇ ୨୯ ରୁ ଯୁକ୍ତ ଦୁଇ ପାଠପଢା ଆରମ୍ଭ ହେବ।