ଆଜିଠୁ +୩ ପ୍ରଥମ ଓ ଦ୍ୱିତୀୟ ବର୍ଷର ପାଠପଢା, କଣ୍ଟେନମେଣ୍ଟ ଜୋନ୍‌ରୁ କାହାକୁ ଆସିବା ମନା

Published By : Prameya-News7 Bureau | September 20, 2021 IST

ଭୁବନେଶ୍ୱର ୨୦।୦୯:  ଆଜିଠୁ ଆରମ୍ଭ ହେବ ଯୁକ୍ତ ୩ ଦ୍ବିତୀୟ ବର୍ଷ ତଥା ୨୦୨୦-୨୧ ଶିକ୍ଷାବର୍ଷର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା । କରୋନା କଟକଣା ମଧ୍ୟରେ ଛାତ୍ରଛାତ୍ରୀଙ୍କ କ୍ଲାସ ଆରମ୍ଭ କରାଯିବ । ମାସ୍କ ବ୍ୟବହାର ସହ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସମସ୍ତ କୋଭିଡ଼ କଟକଣାକୁ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ କଣ୍ଟେନମେଣ୍ଟ ଜୋନ୍ ଭିତରେ ରହିଥିବା ଶିକ୍ଷକ,କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେନାହିଁ। ନିୟମିତ ବ୍ୟବଧାନରେ ବିଶୋଧନ କରାଯିବ । କ୍ଲାସରୁମ୍, ଲାଇବ୍ରେରି, ଲାବରୋଟୋରି ଆଦି ସ୍ଥାନରେ ସାମାଜିକଦୂରତା ଉପରେ ପ୍ରାଥମିକତା ଦିଆଯିବାକୁ କୁହାଯାଇଛି। କ୍ୟାମ୍ପସରେ ଛେପ ପକାଇବା ଉପରେ କଟକଣା ଲଗାଯାଇଛି । ଏପିରିକି କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ ରୁମାଲରେ ଘୋଡ଼ାଇବାକୁ ପରାମର୍ଶ ଦିଆଯାଇଛି। ତେବେ ଅସୁସ୍ଥତା ଅନୁଭବ କଲେ କର୍ତ୍ତପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।

ସେହିପରି  କୌଣସି ପ୍ରକାର ଜରୁରୀ ଆବଶ୍ୟକତା ପାଇଁ କ୍ୟାମ୍ପସରେ ଆଇସୋଲେସନ ରୁମ୍‌ ପ୍ରସ୍ତୁତ ରଖିବାକୁ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବା ପୂର୍ବରୁ ଆଜି ସମସ୍ତ ଶିକ୍ଷାନୁଷ୍ଠାନ ହଷ୍ଟେଲ ଯୁକ୍ତ ୩ ଦ୍ବିତୀୟ ବର୍ଷ ପିଲାଙ୍କ ପାଇଁ ଖୋଲାଯାଇଛି। କୋଭିତ୍-୧୯ କଟକଣା ମଧ୍ୟରେ ହଷ୍ଟେଲ ଚାଲୁ ରଖିବାକୁ ପରାମର୍ଶ ଦିଆଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ। ନାମଲେଖା ପ୍ରକ୍ରିୟା ଚାଲିଥିବାରୁ ଆସନ୍ତା ଅକ୍ଟୋବର ମାସରେ ଉକ୍ତ ଦୁଇ ଶ୍ରେଣୀଙ୍କ କ୍ଲାସରୁମ୍ ପାଠପଢ଼ା ନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.