ସୋମବାରଠୁ ଆରମ୍ଭ ହେବ ଯୁକ୍ତ ୨ ମୂଲ୍ୟାୟନ, ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା

Published By : Prameya-News7 Bureau | May 31, 2020 IST

ଭୁବନେଶ୍ବର ୩୧।୫: ଆସନ୍ତାକାଲିଠାରୁ ଆରମ୍ଭ ହେବ ଯୁକ୍ତ ୨ ଖାତା ମୂଲ୍ୟାୟନ । ଏଥର ୨ଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟରେ ଅନଲାଇନରେ ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଅଫଲାଇନରେ ଖାତା ମୂଲ୍ୟାୟନ ହେବ ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୬ଟି ମୂଲ୍ୟାୟନ କେନ୍ଦ୍ରରେ ୪ ହଜାରରୁ ଅଧିକ ଅଧ୍ୟାପକ ଅନଲାଇନରେ ଖାତା ଦେଖିବେ । ଦୁଇଟି ସିଫ୍ଟରେ ଏହି ମୂଲ୍ୟାୟନ ହେବ । ପ୍ରଥମ ସିଫ୍ଟରେ ସକାଳ ୭ଟା ୩୦ରୁ ୧୨ଟା ୩୦ ଏବଂ ଦ୍ବିତୀୟ ସିଫ୍ଟରେ ଅପରାହ୍ନ ୧ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ଯାଏଁ ମୂଲ୍ୟାୟନ କରାଯିବ । ଜୁନ୍  ୧ରୁ ପ୍ରଥମେ ବିଜ୍ଞାନ ଖାତା ଇ-ମୂଲ୍ୟାୟନ ହେବାକୁ ଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାଣିଜ୍ୟ ଖାତା ଗୁଡିକର ମୂଲ୍ୟାୟନ ହେବ।

ଦ୍ବିତୀୟ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ଶିକ୍ଷା ବିଭାଗର ଖାତା ମୂଲ୍ୟାୟନ ହେବ। ୩୪ଟି ସରକାରୀ କଲେଜ ଏବଂ ୨ଟି ଘରୋଇ ଅନୁଷ୍ଠାନକୁ ଭିତ୍ତିଭୂମି ଭାବେ ବ୍ୟବହାର କରାଯିବ । କେତେକ ମୂଲ୍ୟାୟନ କେନ୍ଦ୍ରରେ କ୍ବାରାଣ୍ଟାଇନ୍ ସେଣ୍ଟର କରାଯାଇଥିବା ବେଳେ ସେଠାରେ ବ୍ୟାରିକେଟ୍ ସହ ଉଭୟ କେନ୍ଦ୍ର ମଧ୍ୟରେ ଦୂରତା ରଖାଯାଇଛି । ପ୍ରତିଦିନ ମୂଲ୍ୟାୟନ ପୂର୍ବରୁ କେନ୍ଦ୍ରକୁ ବିଶୋଧନ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.