ଯାଜପୁର, ୦୫।୦୯: ପରିଶ୍ରମ ସାର୍ଥକ ହେଲା । ବାପା ଓ ମାଆଙ୍କ ଆଶା ମଧ୍ୟ ସେ ପୂରଣ କଲେ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଚଳିତ ବର୍ଷ ଯୁକ୍ତ ୨ କଳାରେ ସେ ସମଗ୍ର ରାଜ୍ୟରେ ଟପ୍ପର ହୋଇଛନ୍ତି ସମ୍ଭାବନା ସାହୁ । ଟପ୍ପର ହେବା ପରେ ତାଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୂଅ ।
ଶନିବାର ପ୍ରକାଶ ପାଇଛି ଯୁକ୍ତ ଦୁଇ କଳାର ପରୀକ୍ଷା ଫଳ। ଏହି ପରୀକ୍ଷାରେ ପାଣିକୋଇଲି ସ୍ଥିତ ମା ତାରିଣୀ ମହାବିଦ୍ୟାଳୟର ଛାତ୍ରୀ ସମ୍ଭାବନା ସାହୁ ୯୧ ପ୍ରତିଶତ ନମ୍ବର ରଖି ସାରା ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛନ୍ତି। ସମ୍ଭାବନା ଏହି ପରୀକ୍ଷାରେ ସର୍ବାଧିକ ୫୪୬ ନମ୍ବର ରଖି କୃତୀତ୍ତ୍ୱ ଅର୍ଜନ କରିଛନ୍ତି। ତାଙ୍କ ବାପାଙ୍କ ନାମ ଗୋପାଳ ଚନ୍ଦ୍ର ସାହୁ ଓ ମାଆ ସ୍ନେହଲତା ସାହୁ।
ସମ୍ଭାବନାଙ୍କ ନିଜ ଘର ଯାଜପୁର ସଦର ବ୍ଲକ ଭୁଇଁପୁର ପଞ୍ଚାୟତର କଲ୍ୟାଣପୁର ଗାଁରେ । ତେବେ ତାଙ୍କ ବାପା ଗୋପାଳ ଚନ୍ଦ୍ର ସାହୁ ପାଣିକୋଇଲି ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ସଂସ୍ଥାରେ କାମ କରନ୍ତି। ସେଥିପାଇଁ ଗୋପାଳ ଚନ୍ଦ୍ର ପାଣିକୋଇଲି ଠାରେ ସପରିବାର ରୁହନ୍ତି।
ନିଜ ସଫଳତାର ଶ୍ରେୟ ସମ୍ଭାବନା ନିଜ ପିତା ମାତାଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ସେ କହିଛନ୍ତି ଯେ, ଭଲ ମାର୍କ ରଖିବେ ବୋଲି ଆଶା ଥିଲା । ସେ ଦୈନିକ ୧୦ରୁ ୧୨ ଘଣ୍ଟା ପାଠ ପଢୁଥିଲେ । ପରିବାର ଏବଂ କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ତାଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ମିଳୁଥିଲା। ତେବେ ଭବିଷ୍ୟତରେ ଶିକ୍ଷକତା କରିବାକୁ ଲକ୍ଷ୍ୟ ରଖିଛନ୍ତି ସମ୍ଭାବନା ।