କଣ ଖାଇବୁ କଣ ପିଇବୁ ତାହା ସରକାର କହିବାକୁ କିଏ ? ମଦ ବନ୍ଦ ନେଇ ହାଇକୋର୍ଟରେ ଆବେଦନ

Published By : Prameya-News7 Bureau | June 24, 2021 IST

ଅହମଦାବାଦ ୨୪/୬: ଲୋକେ କଣ ପିଇବେ ଏବଂ କଣ ଖାଇବେ ଏନେଇ ସରକାର ନିଷ୍ପତ୍ତି ନେଇପାରିବେ ନାହିଁ। ରାଜ୍ୟରେ ମଦ ବିକ୍ରି ଉପରେ ରୋକ ଲଗାଇ ସରକାର ମନମାନୀ କରୁଛନ୍ତି। ସରକାର ନିଜର ଇଚ୍ଛାକୁ ଲୋକଙ୍କ ଉପରେ ଲଦି ଦେଉଛନ୍ତି। ଏକଥା ଆମେ କହୁନୁ ବରଂ ରାଜ୍ୟରେ ମଦ ବନ୍ଦକୁ ବିରୋଧ କରି କୋର୍ଟରେ ଆବେଦନକାରୀ ଏହି ଯୁକ୍ତି ବାଢ଼ିଛନ୍ତି। ଗୁଜୁରାଟରେ ମଦ ତିଆରି, ବିକ୍ରି ଆଦି ବନ୍ଦ ରହିଛି। ଏହାକୁ ଚାଲୁ କରିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ଉପରେ ନିଜର ରାୟ ସଂରକ୍ଷତି ରଖିଛନ୍ତି କୋର୍ଟ।

କିନ୍ତୁ ଆବେଦନରେ ଦର୍ଶାଯାଇଥିବା କାରଣ ଜାଣିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଆବେଦନକାରୀ ଲେଖିଛନ୍ତି, ମଦ ବନ୍ଦ ଭଳି ନିୟମ ମନମାନୀ ଏବଂ ଭେଦଭାବପୂର୍ଣ୍ଣ। ଏହା ସହ ରାଜ୍ୟ ସରକାର କହିପାରିବେ ନାହିଁ ଆମେ କଣ ଖାଇବୁ ଏବଂ କଣ ପିଇବୁ । ଏହା ସହ ସେ ଆହୁରି କହିଛନ୍ତି, ରାଜ୍ୟରେ ମଦ ଉପରେ ରୋକ ଲାଗିଥିବା ବେଳେ ଏକ ଅଣ୍ଡରଗ୍ରାଉଣ୍ଡ ନେଟଓ୍ବର୍କ ପୂରା ରାଜ୍ୟକୁ ମଦ ଯୋଗାଉଛି । ରାଜୀବ ପଟେଲ ଏବଂ ଅନ୍ୟ ୨ ଜଣଙ୍କ ଦ୍ବାରା କରାଯାଇଥିବା ଆବେଦନରେ ଦର୍ଶାଯାଇଛି, ଜୀବନର ଅଧିକାର, ବ୍ୟକ୍ତିଗତ ସ୍ବାଧୀନତା ଆଦିର ବର୍ଣ୍ଣନା ସମ୍ବିଧାନର ଆର୍ଟିକିଲ୍‌ ୨୧ରେ କରାଯାଇଛି।

ଏହା ଅଧିନରେ ଜଣେ ନାଗରିକ କେମିତି ଜୀବନ ଅତିବାହିତ କରିବ ଏନେଇ ତାଙ୍କ ପାଖରେ ସମ୍ପୂର୍ଣ୍ଣ ଅଧୀକାର ରହିଛି। ତେଣୁ ଏନେଇ ସରକାର କହିପାରିବେ ନାହିଁ ଯେ କଣ ଖାଇବା ଦରକାର ଏବଂ ପିଇବା ଦରକାର।

କହିରଖୁଛୁ, ଗୁଜୁରାଟରେ ମନ୍ଦ ବନ୍ଦ ନିୟମ ୧୯୪୯ରେ ଲାଗୁ ହୋଇଥିଲା। ଏହାକୁ ୧୯୫୧ରେ ସୁପ୍ରିମକୋର୍ଟରେ ମଧ୍ୟ ଚ୍ୟାଲେଞ୍ଜ କରାଯାଇଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହି ଆଇନ୍‌ ସପକ୍ଷରେ ରାୟ ପ୍ରକାଶ କରିଥିଲେ। ଅନ୍ୟପଟେ ହାଇକୋର୍ଟରେ ସରକାରଙ୍କ ପକ୍ଷର ଓକିଲ କମଲ ତ୍ରିବେଦୀ ସରକାରଙ୍କ ପକ୍ଷ ରଖିଥିଲେ। ସେ କହିଥିଲେ ଏଭଳି ଏକ  ଆବେଦନକୁ ହାଇକୋର୍ଟ ସ୍ବୀକାର କରିବା କଥା ନୁହେଁ କାରଣ ମଦ ବନ୍ଦ ଆଇନକୁ ସୁପ୍ରିମକୋର୍ଟରୁ ମଧ୍ୟ ଅନୁମତି ମିଳିଛି।

ମଦ୍ୟପାନ କରିବା ବନ୍ଦ କୋଠରୀରେ ଆମିଷ ଖାଇବା ଭଳି ନୁହେଁ। ଯାହାକୁ ରୋକାଯାଇ ପାରିବ। ଯଦି ଏମିତି ତର୍କ ସ୍ବୀକାର କରିନିଆଯାଏ ତେବେ କାଲି ଜଣେ ଡ୍ରଗ୍ସ ନେଉଥିବା ବ୍ୟକ୍ତି ଆସି ଆବେଦନ କରିବ ତାକୁ ଉତ୍ପୀଡ଼ନ କରାଯାଉଛି। ତେଣୁ ଏମିତି ଏକ ଆଦେନକୁ ହାଇକୋର୍ଟ ଅସ୍ବୀକାର କରିବା କଥା ବୋଲି କହିଛନ୍ତି ଓକିଲ କମଲ ତ୍ରିବେଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.