ବଟର୍ ମିଲ୍କ ପ୍ୟାକେଟରେ ମଲା ମୂଷା: ହାଇକୋର୍ଟରେ ଆବେଦନ କରି ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ ଏକ ଆବେଦନର ସୁନ୍ନୀ କରିବାକୁ ଅସ୍ବୀକାର କରିଛନ୍ତି। ଏକ ଡାଏରୀ କମ୍ପାନୀର ବଟର ମିଲ୍କ ପ୍ୟାକେଟରେ ମୂଷା କିମ୍ବା ଚିକେନ ଖଣ୍ଡ ମିଳିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆବେଦନରେ ଦାବି କରାଯାଇଥିଲା। ହାଇକୋର୍ଟ ଏହି ଆବେଦନ ଖାରଜ କରି ମାମଲାକୁ କଞ୍ଜ୍ୟୁମର କୋର୍ଟରେ ଆବେଦନ କରିବାକୁ କହିଛନ୍ତି। ଜଷ୍ଟିସ ରେଖା ପଲ୍ଲୀ ଖାଦ୍ୟ ସୁରକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ଆବେଦନ ଉପରେ ସୀମିତ ସମୟରେ ଜବାବ ଦେବେ।

ହାଇକୋର୍ଟ କହିଛନ୍ତି, 'କ୍ଷତିପୂରଣ ପାଇଁ ଉପଭୋକ୍ତା ଅଦାଲତ ଯାଆନ୍ତୁ। ଏଥିପାଇଁ ଅଲଗା ଅଦାଲତ ଅଛି। ପ୍ରଥମ ଦୃଷ୍ଟତାରେ ଆପଣ ମୋତେ କିଛି ସାକ୍ଷ୍ୟ ଦେଖାଇ ପାରିନାହାନ୍ତି। ସେଥିପାଇଁ ମୁଁ କିଛି ବିବାଦୀୟ ନିଷ୍ପତ୍ତି ନେଇପାରିବିନି। ମୋ ଦୃଷ୍ଟିରେ ପ୍ରାଇମା ଫେସୀ ଏମିତି କିଛି ନାହିଁ ଯେଉଁଥିରେ ଉତ୍ପାଦ ଖରାପ ପ୍ରମାଣିତ ହେବ। ଏହି ମାମଲା ଏକ ଲିଖିତ ଆବେଦନ ମାଧ୍ୟମରେ ସମାଧାନ ହୋଇପାରିବ ନାହିଁ, ସେଥିପାଇଁ ଏହାକୁ ଖାରଜ କରାଯାଉଛି। କିନ୍ତୁ ଆବେଦନ ଖାରଜ କରିବା ମାନେ ନୁହେଁ ଯେ ଆପଣ ଉପଭୋକ୍ତା କୋର୍ଟ ଯାଇପାରିବେ ନାହିଁ।'

ଆବେଦନକାରୀଙ୍କ ଓକିଲ ଶାଦାବ ଖାନ ଏହାକୁ ନିଜ କ୍ଲାଏଣ୍ଟଙ୍କ ମୌଳିକ ଅଧିକାର ବୋଲି କହିଛନ୍ତି। ବିଶେଷ କରି ସମ୍ବିଧାନର ଧାରା ୨୧ ଅନୁଯାୟୀ ଅଧିକାରର ଉଲ୍ଲଙ୍ଘନ ବୋଲି କହିଛନ୍ତି। ଓକିଲ ଦାବି କରିଛନ୍ତି ଯେ ତାଙ୍କ କ୍ଲାଏଣ୍ଟ ଶାକାହାରୀ ଏବଂ ଗତ ବର୍ଷ ବଟର ମିଲ୍କ ପିଇବା ପରେ ତାଙ୍କୁ ଅନେକ ଶାରୀରିକ ଓ ମାନସିକ ରୋଗର ସାମ୍ନା କରିବାକୁ ପଡିଛି।

ଆବେଦନରେ କୁହାଯାଇଛି ଯେ ଆବେଦନକାରୀ ଶାରୀରିକ (ପେଟ ସମ୍ବନ୍ଧୀୟ/ଏସିଡ଼ିଟି) ଓ ମାନସିକ ଅବସାଦର ସାମ୍ନା କରିବାକୁ ପଡିଛି। ଆବେଦନରେ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଅଫ୍ ଇଣ୍ଡିଆ (FSSAI) ଏବଂ ଦୁଗ୍ଧ କମ୍ପାନୀରୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.