ନୂଆଦିଲ୍ଲୀ ୨୨/୦୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜ୍ ହାରିସାରିଥିବା ଭାରତ ରବିବାର ଅନ୍ତିମ ଦିନିକିଆ ଖେଳିବ । ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଥିବା ଟିମ୍ ଇଣ୍ଡିଆ ତୃତୀୟ ଦିନିକିଆରେ ବଡ ଧରଣର ଅଦଳବଦଳ କରିପାରେ । କାରଣ ପୂର୍ବରୁ ଟେଷ୍ଟ ସିରିଜ୍ ହାରି ସାରିଥିବା ଭାରତ ଦିନିକିଆ ସିରିଜ୍ରେ ୦-୨ରେ ପଛୁଆ ରହିଛି । ତେଣୁ ତୃତୀୟ ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତୀୟ ଦଳ ।
ଦିନିକିଆ ସିରିଜ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ବୋଲିଂ ଦେଖିବାକୁ ମିଳିଥିଲା । ପ୍ରତିପକ୍ଷ ଟିମ୍ର ମାତ୍ର ୭ଟି ଓ୍ବିକେଟ ନେବାକୁ ସକ୍ଷମ ହୋଇଥିଲା ଭାରତୀୟ ଦଳ । ଯାହାକି ଦଳ ପାଇଁ ଚିନ୍ତାର କାରଣ । ତେଣୁ ଅନ୍ତିମ ମ୍ୟାଚ୍ରେ ସୁଯୋଗ ପାଇନଥିବା ଖେଳାଳିଙ୍କୁ ଦଳ ପ୍ଲେଇଂ ଇଲେଭେନ୍ରେ ସାମିଲ କରିପାରେ ।
କେବଳ ବୋଲିଂ ନୁହେଁ ବ୍ୟାଟିଂ କଥା କହିବାକୁ ଗଲେ, ବିରାଟ କୋହଲି ଏବଂ ଶିଖର ଧାଓ୍ବନ ପ୍ରଥମ ମ୍ୟାଚ୍ରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲେ । କିନ୍ତୁ ଦ୍ବିତୀୟ ମ୍ୟାଚ୍ରେ ଫେଲ ମାରିଥିଲେ । ଅନ୍ୟପଟେ ଦ୍ବିତୀୟ ମ୍ୟାଚ୍ରେ ଲୋକେସ ରାହୁଲ ଏବଂ ଋଷଭ ପନ୍ତଙ୍କ ବ୍ୟାଟ୍ କମାଲ କରିଥିଲା । ଏହା ବାଦ୍ ଶ୍ରେୟସ୍ ଆୟର, ଭେଙ୍କଟେଶ୍ ଆୟର ବଡ ଇନିଂସ ଖେଳିବାକୁ ସକ୍ଷମ ହୋଇନଥିଲେ। ତେଣୁ ତୃତୀୟ ମ୍ୟାଚ୍ରେ ଦଳ ସୂର୍ଯ୍ୟକୁମାର ଯାଦବ କିମ୍ବା ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରେ । ବୋଲିଂ କଥା କହିବାକୁ ଗଲେ ଦଳ ଜସପ୍ରୀତ ବୁମରାହ ଏବଂ ଭୁବନେଶ୍ବର କୁମାରଙ୍କ ମଧ୍ୟରେ କାହାକୁ ବିଶ୍ରାମ ଦେଇ ଅନ୍ୟମାନଙ୍କୁ ସୁଯୋଗ ଦେଇପାରେ ।
ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍ : ଲୋକେସ ରାହୁଲ (ଅଧିନାୟକ), ଶିଖର ଧାଓ୍ବନ, ବିରାଟ କୋହଲି, ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଶାର୍ଦ୍ଦୁଲ ଠାକୁର, ଆର୍ ଅଶ୍ବିନ, ଦୀପକ ଚହର, ମହମ୍ମଦ ସାମୀ ଏବଂ ୟୁଯବେନ୍ଦ୍ର ଚହଲ