Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ବିଜୟ ହଜାରେ ଟ୍ରଫିରେ ଖେଳିଲେ ୧୭୩ ରନର ବିସ୍ଫୋରକ ଇନିଂସ, କେବଳ ଛକା-ଚୌକାରୁ ୧୪୨ ରନ, ମିଳିଲା ଭାରତୀୟ ଦଳରେ ସ୍ଥାନ

20/02/2021 at 10:19 PM

ନୂଆଦିଲ୍ଲୀ ୨୦।୦୨: ବିଶ୍ଵର ସବୁଠୁ ବିତ୍ତଶାଳୀ କ୍ରିକେଟ୍ ଲିଗ୍ ଆଇପିଏଲରେ ଏବଂ ଘରୋଇ ଟୂର୍ଣ୍ଣାମେଣ୍ଟରେ  ଦମଦାର ପ୍ରଦର୍ଶନ କରି ଶେଷରେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଶନ। ଶନିବାର ବିସିସିଆଇ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଘୋଷିତ ୧୯ ଜଣିଆ ଦଳରେ ଇଶାନ କିଶନଙ୍କୁ ସାମିଲ କରାଯାଇଛି। ସବୁଠୁ ବଡ କଥା ଆଜିଠୁ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଇଶାନଙ୍କ କିଶନଙ୍କ ଜଲଓ୍ଵା ଦେଖିବାକୁ ମିଳିଛି।

ପ୍ରଥମ ଦିନରେ ଝାଡଖଣ୍ଡର ଅଧିନାୟକ ତଥା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଇଶାନ କିଶନ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସର ଏହି ୨୨ ବର୍ଷୀୟ ବ୍ୟାଟସମ୍ୟାନ ମଧ୍ୟ ପ୍ରଦେଶ ବିପକ୍ଷରେ ମାତ୍ର ୯୪ ବଲ୍‌ରୁ ୧୭୩ ରନର ଧୂଆଁଧାର ଇନିଂସ ଖେଳିଛନ୍ତି। କିଶନ ନିଜର ପାଳିରେ ୧୯ ଚୌକା ଓ ୧୧ ଛକା ମାରିଛନ୍ତି। ଏହି ସମୟରେ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୮୪ ରହିଛି।  କେବଳ ବାଉଣ୍ଡରୀରୁ ସେ ୧୪୨ ରନ କରିଛନ୍ତି। ବୋଧହୁଏ ଇଶାନ କିଶନଙ୍କ ଏହି ଇନିଂସ ଚୟନକର୍ତ୍ତାଙ୍କୁ ଦଳରେ ସାମିଲ କରିବାକୁ ପ୍ରେରିତ କରିଛି। ତାଙ୍କର ଏହି ଇନିଂସ ମଧ୍ୟ ପ୍ରଦେଶକୁ ମହଙ୍ଗା ପଡିଛି।

ଇଶାନ କିଶନ ଆଇପିଏଲ ୨୦୨୦ରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତାଲିକାରେ ପଞ୍ଚମରେ ଥିଲେ। ସେ ୧୪ଟି ମ୍ୟାଚ୍‌ରୁ ଚାରି ଅର୍ଦ୍ଧଶତକ ସହ ୫୧୬ ରନ କରିଥିଲେ। ଗତ ସିଜିନ୍‌ରେ ତାଙ୍କ ବ୍ୟାଟରୁ ୩୦ ଛକା ବାହାରିଥିଲା। ଏହା ପରେ ବି ତାଙ୍କୁ ଭାରତୀୟ ଦଳରେ ସୁଯୋଗ ପାଇବା ପାଇଁ ଅପେକ୍ଷା କରିବାକୁ ପଡିଥିଲା। ହେଲେ ଆଜି ସକାଳେ ବିସ୍ଫୋରକ ଇନିଂସ ଖେଳିଥିବା ଏହି ଝାଡଖଣ୍ଡ ବ୍ୟାଟସମ୍ୟାନଙ୍କୁ ସନ୍ଧ୍ୟାରେ ଭାରତୀୟ ଦଳରେ ସୁଯୋଗ ମିଳିଛି।

   Related Posts