'କର ବା ମର' ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ମୁମ୍ବାଇ, ହାରିଲେ ପ୍ଲେ-ଅଫରୁ ବିଦା

Published By : Prameya-News7 Bureau | October 05, 2021 IST

ସାରଜା,୦୫/୧୦: ଆଇପିଏଲ୍‌ର ୫୧ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ । ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ଉଭୟ ଦଳ ନିକଟରେ ସୀମିତ ସୁଯୋଗ ରହିଛି । ଉଭୟ ଦଳ ପାଇଁ ବିଜୟ ଏକମାତ୍ର ପନ୍ଥା । ସବୁ ଗଣିତକୁ ଭୁଲି କେବଳ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ଉଭୟ ଦଳ ପ୍ରୟାସ କରିବେ ।

ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ୧୨ଟି ମ୍ୟାଚ୍‌ ଖେଳି ଦଳ ୧୦ ପଏଣ୍ଟ ହାସଲ କରିଛି ଏବଂ ରନ୍‌ ରେଟ୍‌ -୦.୩୩୭ ରହିଛି । ଶେଷ ୨ଟି ମ୍ୟାଚ୍‌ରେ ରୟାଲ୍ସ ଦଳ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପ୍ଲେ ଅଫ୍‌ରେ ପ୍ରବେଶ କରିବାକୁ ହେଲେ ଉଭୟ ମ୍ୟାଚ୍‌ ଜିତିବା ଜରୁରୀ । ଚତୁର୍ଥ ସ୍ଥାନ ପାଇଁ ଦୌଡରେ ଥିବା ୪ଟି ଯାକ ଦଳ(ନାଇଟ୍‌ ରାଇଡର୍ସ, ପଞ୍ଜାବ କିଙ୍ଗ୍‌ସ, ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ)ର ପଏଣ୍ଟ ସଂଖ୍ୟା ୧୨ ରହିଲେ ଉଭୟ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍‌ରୁ ବାଦ ପଡ଼ିବେ ।

ଉଦାହରଣ ସ୍ୱରୂପ ରାଜସ୍ଥାନ ରୟାଲ୍ସ ୧ ରନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ପାଇଁ ନାଇଟ୍‌ ରାଇଡର୍ସକୁ ଶେଷ ମ୍ୟାଚ୍‌ରେ ୭୫ ରନ୍‌ରେ ହରାଇବାକୁ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛି । ୧୦ ପଏଣ୍ଟ ହାସଲ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସର ରନ୍‌ ରେଟ୍‌ -୦.୪୫୩ ରହିଛି । ଶେଷ ୨ଟି ମ୍ୟାଚ୍‌ରେ ଦଳ ଯଥାକ୍ରମେ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଉଭୟ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଯଥାକ୍ରମେ ୧୦୦ ରନ୍‌ ଲେଖାଏଁ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସହ ରୟାଲ୍ସ ମଧ୍ୟ ଶେଷ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସକୁ ହରାଇବା ଜରୁରୀ । ଏହା ସମ୍ଭବ ହେଲେ ମୁମ୍ବାଇର ପଏଣ୍ଟ ୧୪ରେ ପହଞ୍ଚିବ ଓ ୧୨ ପଏଣ୍ଟ ସହ ଚତୁର୍ଥରେ ଥିବା ନାଇଟ ରାଇଡର୍ସର ପଏଣ୍ଟ ବଢି ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.