ପ୍ଲାଷ୍ଟିକରେ ୮ ଦିନ ଯାଏଁ ରହୁଛି ଓମିକ୍ରନ୍ ! ଡେଲଟାଠୁ ବି ଅଧିକ ମାରାତ୍ମକ : ଜାଣନ୍ତୁ ଚର୍ମରେ କେତେ ସମୟ ସକ୍ରିୟ ରହେ ନୂଆ ଭାରିଆଣ୍ଟ ?

Published By : Prameya-News7 Bureau | January 27, 2022 IST

ନୂଆଦିଲ୍ଲୀ, ୨୭/୦୧: ବିଶ୍ୱରେ କରୋନା ଭାଇରସର ତୃତୀୟ ଲହର ଜାରି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ତୃତୀୟ ଲହର ଆସିଥିବା ବୈଜ୍ଞାନିକମାନେ ମତ ଦେଉଛନ୍ତି । ଏହାମଧ୍ୟରେ ଓମିକ୍ରନକୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ଭାରିଆଣ୍ଟ କେତେ ସମୟ ଯାଏ ସକ୍ରିୟ ରହିବ ସେନେଇ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟ ଅନୁସାରେ, ଓମିକ୍ରନ ଭାରିଆଣ୍ଟ ଚର୍ମ ଓ ପ୍ଲାଷ୍ଟିକରେ ଅଧିକ ସମୟ ଯାଏଁ ସକ୍ରିୟ ରହିପାରିବ । ଚର୍ମରେ ଏହା ୨୧ ଘଣ୍ଟା ଓ ପ୍ଲାଷ୍ଟିକରେ ୮ ଦିନ ରହିପାରିବ । ଯାହା ଦ୍ୱାରା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାର ସମ୍ଭାବନା ରହିଛି । ଜାପାନର କ୍ୟୋଟୋ ପ୍ରୋଫିକଚୁରାଲ୍ ୟୁନିଭର୍ସିଟି ଅଫ୍ ମେଡିକାଲ ରିସର୍ଚ୍ଚର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି ।

ଆହୁରି ମଧ୍ୟ ରିପୋର୍ଟରେ କୁହାଯାଇଛି ଯେ, ଆଲଫା, ବେଟା ଓ ଡେଲଟା ତୁଳନାରେ ଓମିକ୍ରନ ଅଧିକ ସମୟ ସକ୍ରିୟ ରହିପାରିବ । ମୂଳ ଭାଇରସ ପ୍ଲାଷ୍ଟିକରେ ୫୬ ଘଣ୍ଟା ସକ୍ରିୟ ରହିପାରୁଥିଲା । ସେହିପରି ଆଲଫା ୧୯୧ ଘଣ୍ଟା, ବେଟା ୧୫୬ ଓ ଗାମା ୫୯ ଘଣ୍ଟା ସକ୍ରିୟ ରହିପାରୁଥିଲା । କିନ୍ତୁ ଓମିକ୍ରନ ୧୯୩ରୁ ଅଧିକ ଘଣ୍ଟା ରହିପାରିବ ।

ମୂଳ ଭାଇରସ ଚର୍ମରେ ୮ ଘଣ୍ଟା ରହିପାରୁଥିବା ବେଳେ ଆଲଫା ୧୯ ଓ ଡେଲଟା ୧୬ ଘଣ୍ଟା ରହିପାରୁଥିଲା । କିନ୍ତୁ ଓମିକ୍ରନ ୨୧ ଘଣ୍ଟାରୁ ଅଧିକ ସମୟ ଯାଏଁ ରହିପାରୁଛି । ତେଣୁ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.