ସ୍କୁଲମାନଙ୍କରେ ଲାଗୁ ହେବ ପ୍ଲାଷ୍ଟିକ ପରିଚାଳନା ପଲିସି: ପ୍ରୋତ୍ସାହନ ପାଇଁ ରହିଛି ପୁରସ୍କାର ବ୍ୟବସ୍ଥା

Published By : Prameya-News7 Bureau | December 07, 2020 IST

ଭୁବନେଶ୍ୱର ୦୭/୧୨ : ଭୁବନେଶ୍ବର ମହାନଗର ନିଗମକୁ  ଘାରିଛି ପ୍ଲାଷ୍ଟିକ ମ୍ୟାନେଜମେଣ୍ଟ ଚିନ୍ତା। ତେଣୁ ସ୍କୁଲରେ ପ୍ଲାଷ୍ଟିକ ପରିଚାଳନା ପଲିସି ଲାଗୁ କରିବାକୁ ସ୍ଥିର କରିଛି ବିଏମସି। ଭୁବନେଶ୍ବରର ସବୁ ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କୁ ପ୍ଲାଷ୍ଟିକ୍ ପରିଚାଳନା ବିଷୟରେ ପ୍ରଶିକ୍ଷଣ ଦେବାକୁ ସ୍ଥିର ହୋଇଛି। ଏଥିପାଇଁ ପ୍ରାଥମିକ ସ୍ତରରେ ଶିକ୍ଷକ ମାନଙ୍କୁ କିଛିଦିନ ତଳେ ବିଏମସି କାର୍ଯ୍ୟାଳୟରେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ପ୍ଲାଷ୍ଟିକ ପରିଚାଳନାରେ ଭଲ କାମ କରୁଥିବା ବିଦ୍ୟାଳୟ ଗୁଡିକୁ ପୁରସ୍କୃତ କରିବ ବୋଲି ବିଏମସି  ପକ୍ଷରୁ କୁହାଯାଇଛି। ସ୍କୁଲ ଖୋଲିଲେ ଏହା କାର୍ଯ୍ୟକାରୀ ହେବ।

ଆଗାମୀ ଦିନରେ ସ୍କୁଲ ଖୋଲିଲେ ସ୍କୁଲ ପିଲା ଶିଖିବେ ପ୍ଲାଷ୍ଟିକ ପରିଚାଳନା ପାଠ। ଥିଓରି କ୍ଲାସ ନୁହେଁ ବରଂ ପ୍ରାକ୍ଟିକାଲ ଭାବେ ଜାଣିବେ ଛାତ୍ରଛାତ୍ରୀ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଏମସି ଏବଂ ୟୁଏନଡିପି ଯୋଜନା ପ୍ରସ୍ତୁତ କରିଛନ୍ତି। ସ୍କୁଲ ଖୋଲିବା ପୂର୍ବରୁ ୩୦ଟି ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଡାକି ବିଏମସି କାର୍ଯ୍ୟାଳୟ ରେ ପ୍ଲାଷ୍ଟିକ ପରିଚାଳନା ଉପରେ ଏକ ଟ୍ରେନିଂ ଦେଇସାରିଛନ୍ତି ବିଏମସି ଏବଂ ୟୁଏନଡିପି।  ପରିବେଶ ତଥା ଭବିଷ୍ୟତ ପାଇଁ ମୁଣ୍ଡବଥାର କାରଣ ସାଜିଥିବା ପ୍ଲାଷ୍ଟିକର ସୁପରିଚାଳନା କରିବା ଲାଗି କଣ ପଦକ୍ଷେପ ନେବେ ଛାତ୍ରଛାତ୍ରୀ ସେନେଇ ପ୍ରଶିକ୍ଷଣ ଦିଆଯାଇଛି। ପ୍ଲାଷ୍ଟିକ ପରିଚାଳନା ପାଠ ଭୁବନେଶ୍ବରର ସବୁ ସରକାରୀ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଶିଖିବେ।

{"id":374084,"sizeSlug":"large"}

ଅନେକ ସମୟରେ ପ୍ଲାଷ୍ଟିକ ଏଣେତେଣେ ପଡିବା ଦ୍ବାରା ରାସ୍ତାଘାଟ,ନାଳନର୍ଦ୍ଦମା ଚୋକ୍ ହେଉଛି। ବିଦ୍ୟାଳୟ ଗୁଡିକରେ ମଧ୍ୟ ଚକୋଲେଟ୍ ରାପ୍, ଅବ୍ୟବହୃତ ପାଣି ବୋତଲ, ବିଭିନ୍ନ ସ୍ନାକ୍ସ ଜରି ଇତ୍ୟାଦି ବହୁଳ ଭାବେ ଛାତ୍ରଛାତ୍ରୀ ବ୍ୟବହାର କରି ଏଣେ ତେଣେ ପକାଉଛନ୍ତି। ଯାହାକୁ ଏବେ ବିଦ୍ୟାଳୟ ସ୍ତରରେ ପୃଥକିକରଣ କରିବା ପରେ ଅନୁବନ୍ଧିତ ସଂସ୍ଥା ପକ୍ଷରୁ ଏହାର ବର୍ଜ୍ୟ ପରିଚାଳନା କରାଯିବ। ନିୟମିତ ଭାବେ ବିଦ୍ୟାଳୟ ସ୍ତରରୁ ପ୍ଲାଷ୍ଟିକ ଏମ ସିସି କୁ ପଠାଯାଇ ରିସାଇକିଲ କରାଯିବ।

ତେବେ ପ୍ଲାଷ୍ଟିକ ପରିଚାଳନାରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବିଦ୍ୟାଳୟ ଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ପୁରସ୍କାର  ପ୍ରଧାନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ବିଦ୍ୟାଳୟ ଗୁଡିକ ଖୋଲିବା ପରେ ଏସବୁ  କାର୍ଯ୍ୟକାରୀ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.