ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ପ୍ଲାଷ୍ଟିକ୍ ମୁକ୍ତ ଏବଂ ଜଳସ୍ବଚ୍ଛ ଦିବସ ପାଳନ ହେବ : ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | October 02, 2021 IST

ଖଲ୍ଲିକୋଟ ୨।୧୦: ଗଞ୍ଜାମ ଜିଲ୍ଲାରେ ସାମୁହିକ ସ୍ବଚ୍ଛତା ଦିବସ ପାଳନ କରାଯାଇ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ବାରଣ କରିବା ନେଇ ଏକ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଶନିବାରଠାରୁ ଆରମ୍ଭ କରାଯାଇଛି । ଏହି ସ୍ବଚ୍ଛତା କାର୍ଯ୍ୟକ୍ରମ ମାସ ତମାମ ପାଳନ କରାଯାଇ ରାଲି ମାଧ୍ୟମରେ ଜନ ସଚେତନତା ପାଇଁ ଅଭିଯାନ ଜାରି ରହିବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମତବ୍ୟକ୍ତ କରିଛନ୍ତି । “ମୋ ସ୍ବାଭିମାନ ସ୍ବଚ୍ଛ ଗଞ୍ଜାମ” ସ୍ଲୋଗାନ ଦେଇ ଗ୍ରାମ ପଞ୍ଚାୟତ ସ୍ତରଠାରୁ ଆରମ୍ଭ କରି ସହରାଞ୍ଚଳର ସମସ୍ତ ସ୍ଥାନରେ ଶନିବାର ସାମୁହିକ ଶପଥ ପାଠ କରାଯାଇଛି ।

ଜିଲ୍ଲାପାଳ ଜଣାଇଛନ୍ତି ଯେ,  ଅକ୍ଟୋବର ମାସର ପ୍ରତ୍ୟେକ ସୋମବାର ଦିନ ପ୍ଲାଷ୍ଟିକ ମୁକ୍ତ ଏବଂ ଜଳ ସ୍ବଚ୍ଛ ଦିବସ ପାଳନ  ହେବ । ଆଜିର ଏହି ପ୍ରଥମ ଦିବସରେ ଜିଲ୍ଲାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ରାଲି ଏବଂ ଶପଥ ପାଠ କରାଇଥିଲେ  । ମୋ ସ୍ବାଭିମାନ ଓ ସ୍ବଚ୍ଛ ଗଞ୍ଜାମର ବହୁଳ ପ୍ରଚାର କରି ଜିଲ୍ଲାରୁ ଯେପରି ପ୍ଲାଷ୍ଟିକ୍ ମୁକ୍ତ ହେବ ସେ ଦିଗରେ ପ୍ରୟାସ ଜାରି ରହିବ । ଜିଲ୍ଲାପାଳ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନେ ପ୍ଲାଷ୍ଟିକ୍ ବ୍ୟବହାର କମ୍ କରନ୍ତୁ ଏବଂ ଯେଉଁ ସ୍ଥାନରେ ପ୍ଲାଷ୍ଟିକ ବ୍ୟବହାର ଅପରିହାର୍ଯ୍ୟ ହେଉଛି ତାହାର ବ୍ୟବହାର ପରେ ସେଗୁଡିକର ପରିଚାଳନା ଯେପରି ସଠିକ୍ ହୋଇପାରିବ ସେଥି ନିମନ୍ତେ ତତ୍ପରତା ପ୍ରକାଶ କରନ୍ତୁ । ପୋଖରୀ ଗୁଡିକର ସୌନ୍ଦର୍ଯ୍ୟ ଓ ସଫେଇ କରଣ ଦିଗରେ ଗୋଷ୍ଠୀଗତ ମାନଙ୍କର ସଂପୃକ୍ତି ନିହାତି ଆବଶ୍ୟକ । ସେଥି ନିମନ୍ତେ ପୋଖରୀ କମିଟି ଗଠନ କରାଯାଇ ତାର ପରିଚାଳନା ଦାୟିତ୍ବ ପ୍ରଦାନ କରାଯିବ  । ଜନସାଧାରଣଙ୍କର ସହଭାଗିତା ଦ୍ବାରା ହିଁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.