ପ୍ଲାଷ୍ଟିକ ବୋତଲ ଦିଅ, ୧୦ଟଙ୍କାର ମୋବାଇଲ ରିଚାର୍ଜ ନିଅ

Published By : Prameya-News7 Bureau | August 22, 2018 IST

ଭୁବନେଶ୍ୱର ୨୨/୮ : ପ୍ଲାଷ୍ଟିକ ବୋତଲ ଦିଅ, ୧୦ଟଙ୍କାର ମୋବାଇଲ ରିଚାର୍ଜ ନିଅ । ଏମିତି ନିଆରା ପ୍ରୟାସ ଦେଖିବାକୁ ମିଳିଛି ଭୁବନେଶ୍ବର ରେଳଷ୍ଟେସନରେ । ଷ୍ଟେସନଗୁଡ଼ିକୁ ପ୍ଲାଷ୍ଟିକ ବୋତଲ ଅଳିଆରୁ ମୁକ୍ତ କରିବାକୁ ଏଭଳି ପଦକ୍ଷେପ ନେଇଛି ରେଳବିଭାଗ । ପାଣି କି କୋଲ୍ଡ ଡ୍ରିଂକ୍ସ ପିଇବା ପରେ ପ୍ଲାଷ୍ଟିକ ବୋତଲକୁ ଏଣେ ତେଣେ ପକାଉଛନ୍ତି କି ? ନ ପକାଇ ଏହି ମେସିନରେ ପକାନ୍ତୁ । ଆଉ ପାଆନ୍ତୁ ୧୦ ଟଙ୍କାର ରିଜାର୍ଚ୍ଚ । ପରିବେଶ ବି ପ୍ଲାଷ୍ଟିକ ପ୍ରଦୂଷଣରୁ ରକ୍ଷା ପାଇବ ଆଉ ଆପଣ ବି ଲାଭବାନ୍ ହେବେ । ସ୍ବଚ୍ଛତା ଲାଗି ଏମିତି ଅଭିନବ ପ୍ରୟାସ କରିଛି ପୂର୍ବତଟ ରେଳ ପଥ । ଭୁବନେଶ୍ବରର ୧ ନମ୍ବର ଓ ୬ ନମ୍ବର ପ୍ଲାଟଫର୍ମରେ ଲାଗିଛି ଏମିତି ୨ଟି ମେସିନ୍ । ଯେଉଁ ମେସିନ ପ୍ଲାଷ୍ଟିକ ବୋତଲ ବଦଳରେ ୧୦ ଟଙ୍କାର ମୋବାଇଲ ରିଚାର୍ଜ ଦେଉଛି । ଯେକୌଣସି ଦ୍ରବ୍ୟ ବ୍ୟବହୃତ ସର୍ବାଧିକ ୨ ଲିଟର ପର୍ଯ୍ୟନ୍ତର ପ୍ଲାଷ୍ଟିକ ବୋତଲ ଆପଣ ଏହି ମେସିନରେ ପକାଇପାରିବେ । ରିଚାର୍ଜ ଲାଗି ଫ୍ରିଚାର୍ଜ ୱାଲେଟ କମ୍ପାନୀ ସହ ରେଳବାଇ ଚୁକ୍ତି କରିଛି । କେମିତି ମିଳିବ ଏହି ରିଚାର୍ଜ ସୁବିଧା ଆସନ୍ତୁ ଦେଖିବା । ମେସିନରେ ବୋତଲ ପକାଇବା ଲାଗି ଛୋଟ ୱିଣ୍ଡୋ ରହିଛି । ସେଥିରେ ବୋତଲ ପକାଇବା ପରେ ଏଠାରେ ଆପଣ ନିଜର ନମ୍ବର ଡାଏଲ କରିବେ । ଏହା ପରେ ଆପଣଙ୍କ ସେହି ନମ୍ବରକୁ ଏକ ୱାନ୍ ଟାଇମ୍ ପାସୱାର୍ଡ ବା ଓଟିପି ଆସିବ । ଏହା ପରେ ଆପଣ ଫ୍ରିଚାର୍ଜ ଆପ୍ ରେ ନିଜ ନମ୍ବରରେ ୧୦ ଟଙ୍କାର ରିଚାର୍ଜ କରିପାରିବେ । ରିଚାର୍ଜ ବେଳେ ଓଟିପିକୁ ପ୍ରମୋ କୋଡ୍ ଅପ୍ସନରେ ଦେଲେ ଆପଣଙ୍କୁ କୌଣସି ଦେୟ ଲାଗିବ ନାହିଁ । ତେବେ ପ୍ରତି ଆକାଉଣ୍ଟ ଲାଗି ସର୍ବାଧିକ ୩ ଥର ଏହି ସୁବିଧା ମିଳିବ । ଏହି ସୁବିଧା ଗ୍ରାହକଙ୍କୁ ପ୍ଲାଷ୍ଟିକ ବୋତଲ ଏଣେ ତେଣ ନ ପକାଇ ମେସିନରେ ପକାଇବାକୁ ଉତ୍ସାହିତ କରୁଛି । ସେପଟେ ପ୍ଲାଷ୍ଟିକର ରିସାଇକ୍ଲିଂ କରି ବିଭିନ୍ନ ଦ୍ରାବ୍ୟ ଉତ୍ପାଦନ କରୁଥିବା ସଂସ୍ଥାକୁ ଏହି ବୋତଲ ଗୁଡ଼ିକ ବିକ୍ରି କରିବ ରେଳବାଇ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ସହ ଅଧିକ ଗହଳି ରହୁଥିବା ପୁରୀ ଷ୍ଟେସନରେ ମଧ୍ୟ ଏହି ସୁବିଧା ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.