ଆଜିଠୁ ରାଜ୍ୟରେ ପ୍ଲାଜମା ଥେରାପୀ, ୫ ଫୋକସ୍ ଜିଲ୍ଲାରେ ଆହୁରି ସୁଦୃଢ଼ ହେବ କୋଭିଡ୍ ତଦାରଖ ବ୍ୟବସ୍ଥା

Published By : Prameya-News7 Bureau | July 15, 2020 IST

ଭୁବନେଶ୍ୱର ୧୫।୦୭:  ଆଜି ଠାରୁ  ରାଜ୍ୟରେ ପ୍ଲାଜମା ଥେରାପୀ ଆରମ୍ଭ ହେବ। ଭୁବନେଶ୍ବର ସମ୍ କୋଭିଡ୍ ହସ୍ପିଟାଲ, କିମ୍ସ ଓ କଟକ ଅଶ୍ବିନୀ ହସ୍ପିଟାଲରେ ପ୍ଲାଜମା ଥେରାପୀ ଆରମ୍ଭ ହେବ।  ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ୍  ମୁକାବିଲା ସଂପର୍କରେ ସମୀକ୍ଷା କରିଛନ୍ତି। ବୈଠକରେ ମୁଖ୍ଯମନ୍ତ୍ରୀ କୋଭିଡ୍ ରୋଗୀଙ୍କ ସୁବିଧା, ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ଏଥିସହିତ ୫ଟି ଫୋକସ୍  ଜିଲ୍ଲା ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ରେ ତଦାରଖ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସେହିପରି କୋଭିଡ ଯୋଦ୍ଧାଙ୍କ ମନୋବଳ ଉଚ୍ଚ ରଖିବା ପାଇଁ ସେମାନଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପର୍ଯ୍ୟବେକ୍ଷକ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ପରୀକ୍ଷା ପାଇଁ ଅଧିକ ଲାବୋରଟୋରୀ ଟେକ୍ନିସିଆନ୍ ଓ ଅଧିକ ଆମ୍ବୁଲାନ୍ସ ମୁତୟନ ଉପରେ ଗୁରୁତ୍ବ ଦେଇଛନ୍ତି। ସେହିପରି ମୃତ୍ୟୁ ବରଣ କରୁଥିବା କୋଭିଡ ରୋଗୀଙ୍କ ମୃତଦେହକୁ ମର୍ଯ୍ୟାଦାପୂର୍ଣ୍ଣ ଭାବେ ସତ୍କାର କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ, କଟକ, ଯାଜପୁର, ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ଉପରେ ଅଧିକ ଫୋକସ୍ ରଖିବା ପାଇଁ ପଦକ୍ଷେପ ନିଆଯାଇଛି। ଆସନ୍ତା ୧ ସପ୍ତାହ ଭିତରେ ରାଜ୍ୟରେ କୋଭିଡ୍ ପରୀକ୍ଷଣ ୯ ହଜାରକୁ ବୃଦ୍ଧି କରାଯିବ। କଟକ, ଭୁବନେଶ୍ବର ଓ ଗଞ୍ଜାମରେ କୋଭିଡ୍ ବେଡ୍ ସଂଖ୍ୟା ବୃଦ୍ଧି କରାଯିବ। ଓଡିଶାରେ କରୋନା ସୁସ୍ଥତା ହାର ୬୪.୮୮ ପ୍ରତିଶତ ରହିଛି ଯାହାକି ସର୍ବଭାରତୀୟ ସ୍ତର ଠାରୁ ଅଧିକ। ସର୍ବବାରତୀୟ ସ୍ତରରେ ମୃତ୍ୟୁହାର ୨.୬ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ଦଶମିକ ୫ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.