ପ୍ଲାଜମା ଥେରାପୀ ଉପରେ ଲାଗିପାରେ ରୋକ୍, ବିଚାର କରୁଛି ଆଇସିଏମଆର

Published By : Prameya-News7 Bureau | October 20, 2020 IST

ନୂଆଦିଲ୍ଲୀ, ୨୦ ।୧୦:   ଇଣ୍ଡିଆନ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ବା ଆଇସିଏମଆର ପ୍ଲାଜମା ଥେରାପୀକୁ ନେଇ ଏକ ବଡ ବୟାନ ଦେଇଛି । ଆଇସିଏମଆର କହିଛି ଯେ, ପ୍ଲାଜମା ଥେରାପୀକୁ ନ୍ୟାସନାଲ ହେଲଥ୍ କ୍ଲିନିକାଲ ପ୍ରୋଟୋକାଲରୁ ହଟାଇବା ପାଇଁ ବିଚାର ବିମର୍ଶ ଜାରି ରହିଛି । ଅନେକ ରିପୋର୍ଟରେ ପୂର୍ବରୁ ମଧ୍ୟ ପ୍ଲାଜମା ଥେରାପୀ ମୃତ୍ୟୁ ହାର କମାଇବାରେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିବା ପ୍ରକାଶ ପାଇଥିଲା ।

ଏହାପୂର୍ବରୁ ମଧ୍ୟ ଅନେକ ଥର ଆଇସିଏମଆର ପ୍ଲାଜମା ଥେରାପୀକୁ ନେଇ ପ୍ରଶ୍ନ ଉଠାଇଛି । ନିକଟରେ ଆଇସିଏମଆର କହିଥିଲା ଯେ, କରୋନା ଚିକିତ୍ସାରେ ପ୍ଲାଜମା ଥେରାପୀ ବଦଳରେ ଏବେ ଆଣ୍ଟିସେରାକୁ ବିକଳ୍ପ ଭାବେ ବ୍ୟବହାର କରାଯାଉ ପାରିବ । ଆଇସିଏମଆର ଦାବି କରିଛି ଯେ, ଏଥିରେ କରୋନା ଚିକିତ୍ସା ପାଇଁ ପଶୁଙ୍କର ରକ୍ତ ସିରମର ବ୍ୟବହାର କରାଯାଉଥିବା ଉଚ୍ଚ ପ୍ୟାରିଫାଇଡ୍ ବିକଶିତ କରିବାର କ୍ଷମତା ରହିଛି ।

ଆଇସିଏମଆରର ବୈଜ୍ଞାନିକ ଡାକ୍ତର ଲୋକେଶ ଶର୍ମା କହିଛନ୍ତି ଯେ, ଆଣ୍ଟିସେରାରୁ ମିଳିଥିବା ରକ୍ତ ସିରମ ଅଟେ ।ଏଥିରେ ଏକ ଖାସ୍ ଆଣ୍ଟିଜେନ୍ ବିରୋଧରେ ଆଣ୍ଟିବଡି ରହିଥାଏ । ଅନେକ ରୋଗର ଚିକିତ୍ସାରେ ଏହାକୁ ବ୍ୟବହାର କରାଯାଏ ।

ସୂଚନାଯୋଗ୍ୟ, ପ୍ଲାଜମା ଥେରାପୀ କରୋନା ସମୟରେ ଚର୍ଚ୍ଚାକୁ ଆସିଥିଲା । କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଶରୀରରୁ  ପ୍ଲାଜମା ନିଆଯାଇ ସକ୍ରିୟ ଆକ୍ରାନ୍ତଙ୍କୁ ପ୍ରଦାନ କରାଯାଉଥିଲା । ଯେଉଁଥିରେ ଆକ୍ରାନ୍ତଙ୍କ ଶରୀରରେ କରୋନା ସହ ଲଢିବା ପାଇଁ ଆଣ୍ଟିବଡି ସୃଷ୍ଟି ହୋଇଥାଏ । ଅନ୍ୟ ଦେଶରେ ମଧ୍ୟ ପ୍ଲାଜମା ଥେରାପୀର ବ୍ୟବହାର କରାଯାଉଛି । ଭାରତ ବ୍ୟତୀତ ଆମେରିକା, ସ୍ପେନ୍, ଦକ୍ଷିଣ କୋରିଆ, ଇଟାଲୀ, ତୁର୍କୀ ଓ ଚୀନ ସମେତ ଅନ୍ୟ ଦେଶରେ ପ୍ଲାଜମା ଥେରାପୀର ବ୍ୟବହାର କରାଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.