କୋଭିଡ୍ ଚିକିତ୍ସାରେ ପ୍ଲାଜମା ଥେରାପୀ ଓ ରେମଡିସିଭିର୍‌ର ମିଳିତ ପ୍ରୟୋଗ ସଫଳ ହୋଇଛି, ରାଜସ୍ଥାନରେ ମିଳିଛି ପ୍ରମାଣ

Published By : Prameya-News7 Bureau | August 31, 2020 IST

ଜୟପୁର, ୩୧|୦୮:  କରୋନା ଭାଇରସର ଆତଙ୍କ ସାରା ବିଶ୍ୱରେ ଜାରି ରହିଛି । ଏହି ଭାଇରସର କୌଣସି ଭାକସିନ୍ କିମ୍ବା ଔଷଧ ବାହାରି ନାହିଁ । ତେବେ ପ୍ଲାଜମା ଥେରାପୀ , ଟୋକିଲିଜୁମାବ୍ ଇଞ୍ଜେକ୍ସନ୍ ଏବଂ ରେମଡିସିଭିରର ମିଳିତ ପ୍ରୟୋଗ କରୋନା ବିରୋଧରେ ପ୍ରଭାବୀ ସାବ୍ୟସ୍ତ ହୋଇଛି । ଗୁରୁତର ଆକ୍ରାନ୍ତଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହେଉଛି । ଏନେଇ ଶନିବାର ରାଜସ୍ଥାନ ଜୟପୁରର ଡାକ୍ତରମାନେ କହିଛନ୍ତି ।

ରାଜସ୍ଥାନ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନାନୁସାରେ, ଏବେସୁଦ୍ଧା ୩୩୫ଜଣ ଆକ୍ରାନ୍ତଙ୍କୁ ପ୍ଲାଜମା ପ୍ରଦାନ କରାଯାଇଛି । ସେହିପରି ୩୮୭୭ଜଣଙ୍କୁ ରେମଡିସିଭିର ଇଞ୍ଜେକ୍ସନ ପ୍ରଦାନ କରାଯାଇଛି । ସେହିପରି ୨୩୨ ଆକ୍ରାନ୍ତଙ୍କୁ ଟୋକିଲିଜୁମାବ୍ ଇଞ୍ଜେକ୍ସନ୍ ଦିଆଯାଇଛି । ଏବେ ବିଭିନ୍ନ ହସ୍ପିଟାଲରେ ୩୩ଟି ପ୍ଲାଜନା ୟୁନିଟ୍ ରହିଛି । କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରୁଛନ୍ତି ।

ଏସଏମଏସ  ମେଡିକାଲ କଲେଜର ଅଧ୍ୟକ୍ଷ ଡାକ୍ତର ସୁଧିର ଭଣ୍ଡାରୀ କହିଛନ୍ତି ଯେ, ଯଦି ଜଣେ ଆକ୍ରାନ୍ତ ଆଣ୍ଟି-ଇନଫ୍ଲାମେଟୋରୀ, ଆଣ୍ଟି ଭାଇରାଲ ଏବଂ ଷ୍ଟେରୋଏଡ୍ ଦରକାର କରିଥାଏ ତେବେ ତାକୁ ପ୍ଲାଜମା ଦିଆଯାଏ । ଏହାସହ ଦୁଇଟି ଇଞ୍ଜେକ୍ସନ ମଧ୍ୟ ପ୍ରଦାନ କରାଯାଏ । ଏପରି କରିବା ଦ୍ୱାରା ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥାଏ । ଏପରିକି ଭେଣ୍ଟିଲେଟରରେ ଥିବା ଆକ୍ରାନ୍ତଙ୍କ ପାଇଁ ମଧ୍ୟ ପ୍ଲାଜମା ଥେରାପୀ ଲାଭଦାୟକ ସାବ୍ୟସ୍ତ ହେଉଛି ।

ବିଶେଷଜ୍ଞଙ୍କ କହିବାନୁସାରେ, ପ୍ଲାଜମା ଥେରାପୀରେ ୭୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଠିକ୍ ସମୟରେ ପ୍ଲାଜମା ଦିଆଗଲେ ସଫଳତା ମିଳୁଛି । ତେବେ କିଛି ଗୁରୁତର ଆକ୍ରାନ୍ତଙ୍କଠାରେ ଏହା ଫେଲ୍ ମାରୁଛି । ରାଜସ୍ଥାନ ସହ ଦେଶର ସମସ୍ତ ରାଜ୍ୟରେ ପ୍ଲାଜମା ସଂଗ୍ରହ ପାଇଁ ସଚେତନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.