ଆପଣଙ୍କ ଘରେ ଅଛି କି ଏସବୁ ଗଛ ; ତେବେ ହୋଇଯାଆନ୍ତୁ ସାବଧାନ
1/09/2018 at 2:45 PM

ବାସ୍ତୁଶାସ୍ତ୍ର ନିୟମ ଅନୁଯାୟୀ ଯଦି ଘର ତିଆରି ହୋଇଥାଏ ତେବେ ଘରକୁ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ । ସେହିପରି ଯଦି ଘର ଆଖପାଖରେ ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଗଛ ଲଗାଯାଇନଥାଏ ତେବେ ତାହା ଜୀବନ ଉପରେ କୁପ୍ରଭାବ ପକାଇଥାଏ ବୋଲି ଲୋକ ମାନିଥାନ୍ତି ।
ଲୋକମାନେ ସାଧାରଣତଃ ନିଜ ଘରେ ତୁଳସୀ ଗଛ ଏବଂ ମନି ପ୍ଲଣ୍ଟକୁ ଲଗାଇଥାନ୍ତି । ବାସ୍ତୁଶାସ୍ତ୍ର ନିୟମ ଅନୁସାରେ ଏହାଦ୍ବାରା ଘରକୁ ସୁଖ, ସମୃଦ୍ଧି ଆସିଥାଏ । କିନ୍ତୁ ଆମ ଭତରୁ ବହୁତ କମ୍ ଲୋକ ଜାଣିଥିବେ ଯେ କେଉଁ ଗଛ ଘରେ ରଖିବା ଦ୍ବାରା ନକରାତ୍ମକ ପ୍ରଭାବ ଘର ଉପରେ ପଡିବା ସହ ମନୁଷ୍ୟ ଜୀବନରେ ମଧ୍ୟ ପଡିଥାଏ ।
ଏଠାରେ ଆମେ କିଛି ନିୟମ କହୁଛୁ ଯାହାଦ୍ବାରା ଆପଣ ଜାଣିପାରିବେ ଯେ ଆପଣଙ୍କ ଘର ବାସ୍ତୁଶାସ୍ତ୍ର ସଂଶ୍ଳିଷ୍ଟ କି ନୁହେଁ ଏବଂ କିଛି ଉପାୟ କହୁଛୁ ଯାହା ଆପଣଙ୍କୁ ସେହି ଗଛଗୁଡିକୁ ବାଛିବାରେ ସହଜ ହେବ ଯେଉଁଗୁଡିକ ଆପଣଙ୍କ ଘର ପାଇଁ ଅଶୁଭ ଅଟେ । ପେଙ୍ଗସୁଇ ଅନୁସାରେ ଘରେ ଏବଂ କାର୍ଯ୍ୟାଳୟରେ ଜୀବନ୍ତ ଗଛ ରଖିବା ଦ୍ବାରା ଜୀବନରେ ସକରାତ୍ମକ ଓ ନକରାତ୍ମକ ପ୍ରଭାବ ମଧ୍ୟରେ ସନ୍ତୁଳନ ରକ୍ଷା ହୋଇଥାଏ ।
କେଉଁ ଗଛଗୁଡିକୁ ଘରେ ଲଗାଇବା ଅନୁଚିତ୍ :
କାକଟସ୍ ଏବଂ ଏହା ଭଳି କଣ୍ଟାଥିବା ଗଛ (ଗୋଲାପକୁ ଛାଡି) ଘରେ କେବେହେଲେ ବି ଲଗାନ୍ତୁ ନାହିଁ ।
ବାସ୍ତୁଶାସ୍ତ ଅନୁସାରେ ଲାଲ୍ ଫୁଲ ଫୁଟୁଥିବା ଗଛ ଏବଂ ବୋନସାଇ ଗଛକୁ ମଧ୍ୟ ଘରେ ଭିତରେ ରଖନ୍ତୁ ନାହିଁ । ଏହାକୁ ଖୋଲାସ୍ଥାନ ଏବଂ ବଗିଚାରେ ଲଗାନ୍ତୁ ।
ତେନ୍ତୁଳି ଏବଂ ମେହେନ୍ଦୀ ଗଛକୁ ମଧ୍ୟ ଘରେ ଲଗାନ୍ତୁ ନାହିଁ । ଏମିତି କୁହାଯାଇଥାଏ ଯେ ଏହି ଦୁଇ ଗଛରେ ଦୁଷ୍ଟ ଆତ୍ମାମାନେ ବସବାସ କରିଥାନ୍ତି । ଏଥିପାଇଁ ଧ୍ୟାନ ରଖନ୍ତୁ ଯେ ଏହି ଗଛ ଥିବା ସ୍ଥାନରେ କେବେହେଲେ ଘର ତିଆରି କରନ୍ତୁ ନାହିଁ ।
ମରିଯାଇଥିବା ଗଛ କିମ୍ବା ଶୁଖିଯାଇଥିବା ଗଛକୁ ମଧ୍ୟ ଘରେ ରଖନ୍ତୁନାହିଁ । ଶୁଖିଲା ଫୁଲ ମଧ୍ୟ ଅଶୁଭ ବୋଲି ଧରାଯାଏ ।
ଘର ନିକଟରେ ବଉଳ ଗଛ ରହିବା ଦ୍ବାରା ମଧ୍ୟ ଘର ଭିତରେ ଅଶାନ୍ତି ସୃଷ୍ଟି ହୋଇଥାଏ ।
ତୁଳା ଗଛ, ସିଲ୍କ ତୁଳା ଗଛ ଏବଂ ତାଳ ଜାତୀୟ ଗଛ ମଧ୍ୟ ଘର ଚାରିପଟେ ରହିବା ଅନୁଚିତ୍ ।
ଘର ଭିତରେ ଯେଉଁ ସବୁ ଗଛ ଲଗାଉଛନ୍ତି ତାହାକୁ ଦକ୍ଷିଣ-ପୂର୍ବ କାନ୍ଥ ନିକଟରେ ରଖନ୍ତୁ ।
ଘରର ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଯଦି ଅଧିକ ବଡ ଗଛ ଅଛି ତେବେ ନକରାତ୍ମକ ଶକ୍ତିର ପ୍ରଭାବ ଘର ଉପରେ ପଡିବାର ସମ୍ଭାବନା ରହିଛି ।