ଚିଠି ଝଡର ୫ମାସ ପୂର୍ବରୁ ହୋଇଥିଲା ଯୋଜନା : ଶଶୀ ଥରୁରଙ୍କ ଡାଇନିଂ ଟେବୁଲରେ ଏକାଠି ହୋଇଥିଲେ ନେତାଏ, ସୋନିଆଙ୍କୁ ଚିଠିର କରିଥିଲେ ପ୍ଲାନିଂ

Published By : Prameya-News7 Bureau | August 25, 2020 IST

ନୂଆଦିଲ୍ଲୀ ୨୫।୮: ସୋନିଆ ଗାନ୍ଧୀଙ୍କୁ ସଂଗଠନ ସ୍ତରରେ ସୁଧାର ଆଣିବା ପାଇଁ ଲେଖାଯାଇଥିବା ଚିଠିକୁ ନେଇ କଂଗ୍ରେସ ସିଡବ୍ଲୁସି ବୈଠକରେ ଝଡ ଉଠିଥିଲା । ଏହାପରେ ଚିଠି ଲେଖିଥିବା କପିଲ ସିବଲ୍, ଶଶୀ ଥରୁରଙ୍କ ସମେତ କିଛି ବରିଷ୍ଠ କଂଗ୍ରେସ ନେତା ସୋମବାର ସନ୍ଧ୍ୟାରେ ଗୁଲାମ ନବୀ ଆଜାଦଙ୍କ ଘରେ ବୈଠକ କରିଥିଲେ । ସୂତ୍ର ଅନୁସାରେ ଯେଉଁ ୨୩ ନେତାଙ୍କ ଚିଠି କଂଗ୍ରେସ ସିଡବ୍ଲୁସି ବୈଠକରେ ଝଡ ସୃଷ୍ଟି କରିଥିଲା ତାର ପ୍ରସ୍ତୁତି ୫ ମାସ ପୂର୍ବରୁ ସାଂସଦ ଶଶୀ ଥରୁରଙ୍କ ଘରେ ହୋଇଥିଲା । ଏକ ରିପୋର୍ଟରେ ଦାବି କରାଯାଇଛି ଯେ, ଶଶୀ ଥରୁରଙ୍କ ଘରେ ରାତ୍ରିଭୋଜନ ସମୟରେ ଏହା ଉପରେ ଚର୍ଚ୍ଚା ହୋଇଥିଲା । ଏହି ବୈଠକରେ କେତେକ କଂଗ୍ରେସ ନେତାଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଏହି ପାର୍ଟିରେ ଉପସ୍ଥିତ ଥିବା କେତେକ ନେତା ମଧ୍ୟ ଏହି ଚିଠିରେ ଦସ୍ତଖତ କରିନଥିଲେ । ଏହି ପାର୍ଟିରେ ପି. ଚିଦାମ୍ବରମ୍, କାର୍ତ୍ତି ଚିଦାମ୍ବରମ୍, ସଚ୍ଚିନ ପାଇଲଟ୍, ଅଭିଶେକ ମନୁ ସିଂଘବୀ, ମଣିଶଙ୍କର ଆୟର ଉପସ୍ଥିତ ଥିଲେ । ମାତ୍ର ଏମାନେ ଚିଠିରେ ଦସ୍ତଖତ କରିନଥିଲେ ।

ପାର୍ଟିରେ ନିଜର ଉପସ୍ଥିତି ନେଇ ସ୍ପଷ୍ଟୀକରଣ ଦେଇ ସିଙ୍ଘବୀ କହିଥିଲେ ଯେ, ତାଙ୍କୁ ଶଶୀ ଥରୁର ନିମନ୍ତ୍ରଣ କରିଥିଲେ । ଦଳ ଭିତରେ ଜରୁରୀ ରିଫର୍ମସକୁ ନେଇ ଏହା ଏକ ଅନୌପଚାରିକ ବୈଠକ ଥିଲା । ମୋତେ ଚିଠି ସମ୍ବନ୍ଧରେ କୌଣସି ପ୍ରକାରରେ ଜଣାନଥିଲା । ଚିଠିକୁ ନେଇ ଚିଦାମ୍ବରମ୍ କହିଥିଲେ ଯେ, ସେ ଦଳର ମାମଲାରେ ଟିପ୍ପଣୀ ଦେବାକୁ ଚାହାନ୍ତିନାହିଁ । ଏ ନେଇ ସଚ୍ଚିନ ପାଇଲଟ୍ ମଧ୍ୟ କୌଣସି ଟିପ୍ପଣୀ ଦେଇନଥିଲେ । ଶଶୀ ଥରୁର ମଧ୍ୟ ଏହି ମାମଲାରେ ଚୁପ୍ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ଚିଠି ଲେଖା ପ୍ରସଙ୍ଗକୁ ନେଇ ସିଡବ୍ଲୁସି ବୈଠକରେ ଝଡ ସୃଷ୍ଟି ହୋଇଥିଲା । ଏହି ସମୟରେ ନେତାମାନେ ଏଭଳି ଚିଠି ଲେଖିବାକୁ ନେଇ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ଏହି ଚିଠିରେ ଗୁଲାମ ନବୀ ଆଜାଦ, ପୂର୍ବ କେନ୍ଦ୍ର ମନ୍ତ୍ରୀ କପିଲ ସିବଲ୍, ଶଶୀ ଥରୁର, ମନୀଷା ତିଓ୍ବାରୀ, ଆନନ୍ଦ ଶର୍ମା, ପିଜେ କୁରିୟନ, ରେଣୁକା ଚୌଧୁରୀ, ମିଲିନ୍ଦ ଦେବଡା ଏବଂ ଅଜୟ ସିଂହଙ୍କ ଦସ୍ତଖତ ରହିଛି । ଏହା ବ୍ୟତୀତ ସାଂସଦ ବିବେକ ତନଖା, ସିଡବ୍ଲୁସି ସଦସ୍ୟ ମୁକୁଲ ଓ୍ବାସନିକ୍ ଏବଂ ଜିତୀନ ପ୍ରସାଦ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂହ ହୁଡ୍ଡା, ରାଜେନ୍ଦ୍ର କୌର ଭଠଲ, ଏମ ବିରପ୍ପା ମୋଇଲି ଏବଂ ପୃଥ୍ବୀରାଜ ଚୌହାନ ମଧ୍ୟ ଚିଠିରେ ଦସ୍ତଖତ କରିଛନ୍ତି ।

ଉତ୍ତରପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ରାଜ ବବ୍ବର, ଦିଲ୍ଲୀ ପିସିସିର ପୂର୍ବତନ ଅଧ୍ୟକ୍ଷ ଅରବିନ୍ଦର ସିଂହ ଲବଲୀ, ହିମାଚଳ ପ୍ରଦେଶ ପିସିସିର ପୂର୍ବତନ ଅଧ୍ୟକ୍ଷ କୌଲ ସିଂହ ଠାକୁର, ବିହାର ଅଭିଯାନର ବର୍ତ୍ତମାନର ଅଧ୍ୟକ୍ଷ ଅଖିଳେଶ ସିଂହ, ହରିୟାଣା ବିଧାନସଭାର ପୂର୍ବତନ ଅଧ୍ୟକ୍ଷ କୁଲଦୀପ ଶର୍ମା, ଦିଲ୍ଲୀ ବିଧାନସଭାର ପୂର୍ବତନ ଅଧ୍ୟକ୍ଷ ଯୋଗାନନ୍ଦ ଶାସ୍ତ୍ରୀ ପୂର୍ବତନ ସାଂସଦ ସନ୍ଦୀପ ଦୀକ୍ଷିତଙ୍କ ଦସ୍ତଖତ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.